Latest Odisha News

BREAKING NEWS

ନବ ଦାସ ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ: ଗୋପାଳ ଦାସ ବିନା ସୂଚନାରେ ୨ ମାସ ଛୁଟିରେ ଥିଲେ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାର ଅଭିଯୁକ୍ତଭାବେ ଗିରଫ ହୋଇଥିବା ଅଭିଯୁକ୍ତ ଗୋପାଳ ଦାସକୁ ମାନସିକ ରୋଗୀ ବୋଲି ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଛି । ଏମିତି ଅଭିଯୋଗ ଆଣି ବିରୋଧୀ ଗୃହକୁ ହୁଲସ୍ତୁଲ କରୁଥିବାବେଳେ ଆଜି ଗୃହରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଗୋପାଳ ମାନସିକ ରୋଗୀ ନ ଥିଲେ । ସେ କେବେ ବି ବଦଳି ପାଇଁ ଆବେଦନ କରି ନ ଥିଲେ । କାର୍ଯ୍ୟକାଳ ସମୟରେ ସୂଚାରୁ ଭାବେ ତାଙ୍କର କାମ କରୁଥିଲେ । ତେବେ ସେ  ବିନା ସୂଚନାରେ ୨ ମାସ ପର୍ଯ୍ୟନ୍ତ  ଛୁଟିରେ ଥିଲେ  ବୋଲି ଗୃହରେ କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଆଜି ବିଧାନସଭାରେ ବିଧାୟକ ସୁବାସ ପାଣିଗ୍ରାହୀ  ନବଦାସ ହତ୍ୟାକାଣ୍ଡରେ  ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କଠାରୁ କି ସାମଗ୍ରୀ ଜବତ କରିଛି , କେଉଁ ସାମଗ୍ରୀ ଜବତ ହୋଇ ପାରିନାହିଁ, କେଉଁ ସାକ୍ଷୀମାନଙ୍କର  ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ କି ବୟାନ ରେକର୍ଡ କରାଯାଇଛି, ହତ୍ୟାର ମୋଟିଭ କ’ଣ ଓ   କି  ଷଡଯନ୍ତ୍ର ରହିଛି ସେ ନେଇ ତଥ୍ୟ ମାଗିଥିଲେ ।

ମନ୍ତ୍ରୀଙ୍କ କହିବା ମୁତାବକ, ଗୋପାଳ ଦାସ ଚାକିରି କାଳରେ ୨୦୧୪  ଫେବ୍ରୁଆରୀ ୩ ତାରିଖରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଉଚ୍ଚ କର୍ତ୍ତୁପକ୍ଷଙ୍କ ବିନାଅନୁମତିରେ ଛୁଟିରେ ଥିଲେ  । ଏପ୍ରିଲ ୪ରେ ସେ କାମରେ ଯୋଗ ଦେଇଥିଲେ । ଏହି ଅନୁପସ୍ଥିତି ଦିନକୁ ନଜର ମାନସିକ ରୋଗ ପାଇଁ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସିତ ହୋଇଥିବା ଦର୍ଶାଇ ଏହାର କାଗଜପତ୍ର ଦାଖଲ କରିଥିଲେ । ଏହି ଅନୁପସ୍ଥିତ ଦିନକୁ ନିୟମିତ କରିବା ପାଇଁ ସେ ଅନୁରୋଧ କରି ସେ  ସୁସ୍ଥତା ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ସେହିପରି ପୁଣିଥରେ ୨୦୧୫  ଫେବ୍ରୁଆରୀ ୨୦ ତାରିଖରୁ  ୮ ଦିନ ପାଇଁ ଛୁଟିରେ ଯାଇଥିଲେ । ଏହାପରେ ମାର୍ଚ୍ଚ ୧ ତାରିଖ ଦିନ ସେ କାର୍ଯ୍ୟରେ ଯୋଗ ଦେବାର ଥିଲା । ହେଲେ ସେହି ତାରିଖରେ ସେ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ । ଜୁନ୍ ୨୯ ତାରିଖରେ ଏମକେସିଜିରେ ଚିକିତ୍ସିତ ହେଉଥିବାର କାଗଜପତ୍ର ସହିତ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିଲେ । ତେବେ ତାଙ୍କର ୧୧୯ ଦିନର ଅନୁପସ୍ଥିତିକୁ ଶାରିରୀକ ଅସୁସ୍ଥତା ପାଇ ଇ.ଏଲ୍ ଅନୁମୋଦନ କରିବା ନିମନ୍ତେ ସେ ଅନୁରୋଧ କରିଥିଲେ ।

ପରବର୍ତ୍ତୀ ସମୟରେ  ତାଙ୍କର ଡାକ୍ତରୀ ଚାକିତ୍ସା କାଗଜପତ୍ର ସହିତ ଫିଟନେସ୍ ସାର୍ଟିଫିକେଟ୍କୁ ଦେଖିବା ପରେ  ତାଙ୍କୁ ପୁଣିଥରେ ନିଜ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ମିଳିଥିଲା ବୋଲି ଗୃହରେ ଉତ୍ତର ରଖି ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।

Leave A Reply

Your email address will not be published.