ତେହେରାନ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଘୋଷଣା କରିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ସମ୍ପୂର୍ଣ୍ଣ ଖୋଲାଯାଇଛି।
ତଥାପି ଏହି ପ୍ରଣାଳୀ କେବଳ ଇସ୍ରାଏଲ-ଲେବାନନ୍ ଯୁଦ୍ଧବିରତିର ଅବଶିଷ୍ଟ ଅବଧି ପର୍ଯ୍ୟନ୍ତ ଖୋଲା ଅଛି, ଯାହା ଗୁରୁବାର ଠାରୁ ଆଗାମୀ ୧୦ ଦିନ ପାଇଁ କାର୍ଯ୍ୟକାରୀ ହେବ। ଯାହାଫଳରେ ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକ ଏବେ ହର୍ମୁଜ୍ ପ୍ରଣାଳୀ ପାର କରି ସେମାନଙ୍କର ଯାତ୍ରା ସମାପ୍ତ କରିପାରିବେ। ୨୮ ଫେବୃଆରୀ ପରଠାରୁ ସୁରକ୍ଷା ଓ ସାମରିକ କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥରେ ଜାହାଜ ଚଳାଚଳରେ ନିୟନ୍ତ୍ରଣ ଲାଗିଥିଲା, ଯାହାର ପ୍ରଭାବ ବିଶ୍ୱ ବାଣିଜ୍ୟ ଓ ତେଲ ଯାତାୟାତ ଉପରେ ପଡ଼ିଥିଲା। ତେବେ ଫସିଥିବା ଜାହାଜରେ ପ୍ରାୟ ୨୦,୦୦୦ କର୍ମଚାରୀ ଥିଲେ।
ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି X ରେ ଲେଖିଛନ୍ତି, “ଲେବାନନରେ ସିଜଫାୟାର ସହିତ ଯୁଦ୍ଧବିରତିର ଅବଶିଷ୍ଟ ସମୟ ପାଇଁ ହର୍ମୁଜ୍ ପ୍ରଣାଳୀ ଦେଇ ସମସ୍ତ ବାଣିଜ୍ୟିକ ଜାହାଜ ପଥକୁ ସମ୍ପୂର୍ଣ୍ଣ ଖୋଲିବା ପାଇଁ ଘୋଷଣା କରାଯାଇଛି।
ତେବେ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ୧୮୭ରୁ ଅଧିକ ତୈଳ ଟ୍ୟାଙ୍କର ସମେତ ପ୍ରାୟ ୮୦୦ ଜାହାଜ ଫସି ରହିଛନ୍ତି। ଏହା ଏକ ବିଶ୍ୱ ଶକ୍ତି ସଙ୍କଟ ସୃଷ୍ଟି କରିଛି। ଏହି ଜାହାଜଗୁଡ଼ିକରେ ଥିବା କର୍ମଚାରୀମାନେ ଏକ ମାସରୁ ଅଧିକ ସମୟ ଧରି ସ୍ଥଳଭାଗ ଦେଖି ନାହାଁନ୍ତି। ତଥାପି ଇରାନର ଘୋଷଣା ପରେ ଏହି ଜାହାଜଗୁଡ଼ିକ ହର୍ମୁଜ୍ ପ୍ରଣାଳୀ ଦେଇ ଶୀଘ୍ର ପରିବହନ କରିବେ ବୋଲି ଆଶା କରାଯାଉଛି।
ଅପରପକ୍ଷରେ ଇରାନ ପୂର୍ବରୁ ସର୍ତ୍ତ ରଖିଥିଲା ଯେ ଲେବାନନରେ ଯୁଦ୍ଧବିରତି ବିନା ସେ ହର୍ମୁଜ୍ ପ୍ରଣାଳୀ ଖୋଲିବ ନାହିଁ। ତେଣୁ ଆମେରିକା ସହିତ ଯୁଦ୍ଧବିରତି ସତ୍ତ୍ୱେ ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ସୀମିତ ଜାହାଜ ଚଳାଚଳ ପୁନଃ ଆରମ୍ଭ କରିଥିଲା। ମାତ୍ର ଗୋଟିଏ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ଦୁଇ ଦେଶ ୧୦ ଦିନିଆ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ହୋଇଛନ୍ତି। ଏଥିପାଇଁ ସେ ଲେବାନନ୍ ରାଷ୍ଟ୍ରପତି ଜୋସେଫ୍ ଆଉନ୍ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।