କଟକ: ଆଉ କିଛି ଦିନର ଅପେକ୍ଷା ଏହା ପରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା । ତେବେ ବାଲିଯାତ୍ରାକୁ ନେଇ କିଛି ନିଷେଧାଦେଶ ଜାରି କରାଯାଇଛି । ବାଲିଯାତ୍ରା ସମୟରେ ଫୁଟପାଥରେ ଉଠାଦୋକାନୀ ବସିପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଧେ ଏହି ନିଷେଧାଦେଶ ଜାରି କରିଛନ୍ତି ।
ରିଂ ରୋଡ୍ ଜୋବ୍ରା ଠାରୁ ଚହଟା, ଉପର ଓ ତଳ ବାଲିଯାତ୍ରା ପଡ଼ିଆ ଏବଂ ଏହାର ଆଖପାଖ ରାସ୍ତାରେ ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧାଦେଶ ଜାରି କରାଯିବା ସହ ଧାରା ୧୬୩ ଲାଗୁ କରାଯାଇଛି । ଆଜି ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ଜାରି କରାଯାଇଛି ।
ତେବେ ଉଠା ଦୋକାନୀଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହୁଏ ସେନେଇ, ତଳ ବାଲିଯାତ୍ରା ପଡ଼ିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ୨୦ ହଜାର ବର୍ଗଫୁଟ ସ୍ଥାନ ଚିହ୍ନଟ କରାଯାଇଛି । ଉଠା ଦୋକାନୀମାନେ ଆବଶ୍ୟକ ୟୁଜର ଫି’ ଦେଇ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ଥାଏ ଓରମାସ । ଚଳିତ ଥର ବାଲିଯାତ୍ରାରେ ଓରମାସ ଭିତରେ ସ୍ଥାନ ପାଇବ ୫ ଶହରୁ ଅଧିକ ଷ୍ଟଲ । ଓଡିଶା ସହ ଅନ୍ୟ ୨୩ଟି ରାଜ୍ୟର ବ୍ୟବସାୟୀ ଏହି ଷ୍ଟଲରେ ନିଜର ବ୍ୟବସାୟ କରିବେ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ ଠାରୁ ଆଦିବାସୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ଏଠାରେ ଉପଲବ୍ଧ ହେବ ।
ଅନ୍ୟପଟେ, ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଗ୍ରୀନ୍ କରିଡରର ବ୍ୟବସ୍ଥା କରାଯାଇଛି । ମହାନଦୀ କୂଳେ କୂଳେ ଏହି କରିଡର ରହିବ । ଟ୍ରାଫିକ ପରିଚାଳନା ଓ ଆମ୍ବୁଲାନ୍ସ ଚଳାଚଳ ପାଇଁ ଏହି ଗ୍ରୀନ କରିଡର କାର୍ଯ୍ୟ କରିବ ।
Comments are closed.