Latest Odisha News

ବଡ଼ଦାଣ୍ଡରେ ପୁଣି ବସିବେ ଉଠା ଦୋକାନୀ!

ପୁରୀ: ବଡ଼ଦାଣ୍ଡରେ ପୁଣି ଉଠାଦୋକାନ ବସିବା ପାଇଁ ଗଠିତ ହେଲା ବଡ଼ଦାଣ୍ଡ ମିଳିତ ଉଠା ଦୋକାନୀ ସଂଘ । ବଡ଼ଦାଣ୍ଡରୁ ଉଚ୍ଛେଦ ହୋଇଥିବା ସମସ୍ତ ଉଠା ଦୋକାନୀ ସଂଘ ଗୁଡ଼ିକ ମିଶି ଏକ ମିଳିତ ସଂଘ ପ୍ରସ୍ତୁତ କରିଛନ୍ତି । ଦରକାର ପଡିଲେ ବଡ଼ଦାଣ୍ଡରେ ବସିବାକୁ ସୁଯୋଗ ନମିଳିଲେ ଆତ୍ମାହୁତି ଦେବୁ କହିଛି ସଂଘ ।

ତେବେ ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ପ୍ରଥମେ ଏସି ସେଡ୍ ଓ ପରେ ବଡଦାଣ୍ଡ ପ୍ରଶସ୍ତିକରଣ ନାଁରେ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ଥଇଥାନ ପର୍ଯ୍ୟନ୍ତ ମାସିକ ପନ୍ଦର ହଜାର ସହ ଶ୍ରୀସେତୁ ନିକଟରେ କିଓସ୍କ ପାଇଁ ୨୫ ହଜାର ଟଙ୍କା ଦିଆଯାଇଥିଲା । ତେବେ ଶ୍ରିସେତୁରେ ବେପାର ପାଇଁ ପର୍ଯ୍ୟାପ୍ତ ସୁଯୋଗ ନାହିଁ କହି ଆସୁଛି ସଂଘ । ତେଣୁ ୧୬୦ ଫୁଟ୍ ବଡ଼ଦାଣ୍ଡର ଦୁଇ ପାର୍ଶ୍ଵରେ କୋଡିଏ କୋଡିଏ ଫୁଟ୍ ସ୍ଥାନ ଦୋକାନୀଙ୍କ ପାଇଁ କିଓସ୍କ କରିବାକୁ ଦାବି ହୋଇ ଆସୁଛି ।

ତେବେ ବଡ଼ଦାଣ୍ଡରେ ଉଠା ଦୋକାନୀ ବସିବା ପ୍ରସଙ୍ଗରେ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ଜିଲ୍ଲାପାଳ କହିଲେ ବଡ଼ଦାଣ୍ଡରେ ଉଠା ଦୋକାନୀଙ୍କୁ ଅନୁମତି ଦେବାର ପ୍ରଶ୍ନ ଉଠୁନି । ସେମାନଙ୍କୁ ରିହାବିଲିଟେଶନ ରିସେଟଲମେଣ୍ଟ ବା ଆର୍ ଆଣ୍ଡ ଆର୍ ଅନ୍ତର୍ଗତ ପ୍ୟାକେଜ ଉଠା ଦୋକାନୀଙ୍କୁ ଦିଆଯାଇଛି । ସେମାନଙ୍କୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ କେତେକ ଦୋକାନୀ ଦୋକାନ କରି ସାରିଛନ୍ତି ।

ତେବେ ଯଦି ଆବଶ୍ୟକ ପଡେ ସେମାନଙ୍କ ସମସ୍ୟା ବୁଝିବା ପାଇଁ ବାରମ୍ବାର ଆଲୋଚନା କରାଯିବ । ସେମାନଙ୍କୁ ଯଦି ଅନ୍ୟ କୌଣସି ସାହାଯ୍ୟର ଆବଶ୍ୟକ, ଯୋଗାଇ ଦିଆଯିବ କିନ୍ତୁ ବଡ଼ଦାଣ୍ଡରେ ଆଉ ଦୋକାନ ପାଇଁ ଅନୁମତି ଦିଆଯିବ ନାହିଁ କହିଛନ୍ତି ଜିଲ୍ଲାପାଳ ।

Comments are closed.