Latest Odisha News

ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି ପାଇଁ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ଭାରତରେ ସର୍ବ ପ୍ରଥମ  ଏବଂ ସହରାଞ୍ଚଳରେ ରହୁଥିବା ଦୁର୍ବଳ ସହରାଞ୍ଚଳ ଶ୍ରମିକ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୁନିଶ୍ଚିତ କରିବା ପାଇଁ  ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ ‘ମୁକ୍ତା ଯୋଜନାର ଶୁଭାରମ୍ଭ କରା ଯାଇଥିଲା।

ଯେଉଁ ଉଦ୍ଦେଶ୍ୟରେ ‘ମୁକ୍ତା’ଯୋଜନାର କାର୍ଯ୍ୟକାରିତା ହୋଇଥିଲା ସେଥିରେ ଦୁର୍ନୀତିର ଗ୍ରାସ କରିଛି  । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମୁକ୍ତା’ ଯୋଜନାର କାର୍ଯ୍ୟକାରିତାରେ ସାମାନ୍ୟତମ ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର  ଅନୁପାଳନ କରିଯିବ ବୋଲି ବିଭାଗର ସମସ୍ତ କର୍ମଚାରୀଙ୍କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି  ।

ନିକଟରେ ନୟାଗଡ ପୌରପାଳିକାର କିଛି ଅଞ୍ଚଳରେ ମୁକ୍ତା ଯୋଜନାର କାର୍ଯ୍ୟକାରିତା ସନ୍ଦେହ ଘେରକୁ ଆସିବା ପରେ ଇମ୍ପ୍ଲିମେଣ୍ଟେସନ୍ ଏକ୍ସପର୍ଟ ଗୁରୁଚରଣଙ୍କ ବିରୁଦ୍ଧରେ ଦୃଢ ଆଇନଗତ ପଦକ୍ଷେପ ନିଆଯାଇଛି । ପୌରପାଳିକାର ୭ ନମ୍ବର ୱାର୍ଡ଼ ସ୍ଥିତ ତାରକେଇ ମନ୍ଦିର ତଥା ଅଙ୍ଗନୱାଡ଼ି କେନ୍ଦ୍ରରେ ଛାତ ଉପର ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ନକରାଯାଇ, ଜାଲ୍ ବିଲ୍ ପଇଠ କରି ଏଠି ପାଇଁ ଆସିଥିବା ଅର୍ଥ ହଡପ୍ କରାଯିବାର ଅଭିଯୋଗ ମିଳିବା ପରେ କ୍ଷେତ୍ର ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।  ପୁଙ୍ଖାନୁପୁଙ୍ଖ ତଦନ୍ତ  ପରେ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ନକରାଯାଇ, ଇମ୍ପ୍ଲିମେଣ୍ଟେସନ୍ ଏକ୍ସପର୍ଟ ଗୁରୁଚରଣ ବେହେରାଙ୍କ ଦ୍ଵାରା ଫଟୋସପ୍ ଜରିଆରେ ଚଞ୍ଚକତା ଉପାୟରେ ନକଲି ଫଟୋ ତଥା ଜାଲ୍ ବିଲ୍ ପଇଠ କରି ଯୋଜନା ଅର୍ଥ ବାଟମାରଣା କରାଯାଇଥିବା ଜଣା ପଡିବା ପରେ ନୟାଗଡ ପୌରପାଳିକା ପକ୍ଷରୁ  ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଟାଉନ୍ ଥାନାରେ ଏତାଲା ଦାୟର୍ କରାଯାଇଛି।

ସରକାରଙ୍କ 5T ଯୋଜନା ଅନୁପାଳନରେ ସହରାଞ୍ଚଳରେ ସ୍ୱଚ୍ଛତା ଆଧାରରେ ପ୍ରବର୍ତ୍ତିତ ମୁକ୍ତା ଯୋଜନାର କାର୍ଯ୍ୟକାରିତାକୁ ସରକାର ଅଗ୍ରାଧିକାର ଦେଉଥିବାରୁ ଏ କ୍ଷେତ୍ରରେ କୌଣସି ଖିଲାଫ୍ ବରଦାସ୍ତ କରାଯିବ ନାହିଁ ଓ ଆବଶ୍ୟକ ସ୍ଥଳେ ଦୁର୍ନୀତି ପ୍ରମାଣିତ ହେଲେ ଦୋଷୀ କର୍ମଚାରୀଙ୍କୁ ଅବିଳମ୍ବେ ଚାକିରୀରୁ ବହିଷ୍କାର କରାଯିବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚେତାବନୀ ଦିଆ ଯାଇଛି। ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ କୌଣସି ଅବହେଳା କିମ୍ବା ତ୍ରୁଟି ବିଚ୍ୟୁତିକୁ ତୁରନ୍ତ ବିଭାଗ ନଜରକୁ ଆଣିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଏ ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.