ଖୋର୍ଦ୍ଧା: ଦିନ ୧୧ ନୁହଁ ଏବେ ସାଢେ ୧୨ଟା ପର୍ଯ୍ୟାନ୍ତ ଖୋଲା ରହିବ ସ୍କୁଲ । ବେଗୁନିଆ ବ୍ଳକର ବିଭିନ୍ନ ପ୍ରାଥମିକ ସ୍କୁଲ ଗୁଡିକ ପୂର୍ବୂରୁ ଶନିବାର ଦିନ ୧୧ଟା ସୁଦ୍ଧା ଛୁଟି ହେଉଯାଉଥିଲା । ଏନେଇ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି । ଏଥର ଦିନ ୧୨ଟା ୩୦ପୂର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ, ଏଥିରେ ଅବହେଳା କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ଖୋର୍ଦ୍ଧା ଜିଲାର ସମସ୍ତ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି ।
ଚିଠିରେ ଉଲ୍ଲେଖ ଅଛି ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳୀନ ପଣ୍ଡିତ ଶନିବାର ଖୋର୍ଦ୍ଧା ଗସ୍ତରେ ଆସି ବେଗୁନିଆ ବ୍ଳକର ବିଭିନ୍ନ ପ୍ରାଥମିକ ସ୍କୁଲ ପରିଦର୍ଶନରେ ଯାଇଥିଲେ । ସେଠାରେ କିଛି ପ୍ରାଥମିକ ସ୍କୁଲ ୧୧ଟା ସୁଦ୍ଧା ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ଶନିବାର ଠିକ୍ ଭାବେ ସ୍କୁଲ ପରିଚାଳନା ହେଉ ନ ଥିବା ଦେଖିଥିଲେ । ତାହାକୁ ନେଇ ସଚିବ ବିରକ୍ତି ପ୍ରକାଶ କରିଥିଲେ ।
ଶିକ୍ଷାଗତ କ୍ୟାଲେଣ୍ଡର, ୨୦୨୫-୨୬ରେ ନିର୍ଦ୍ଦିଷ୍ଟ ସମସ୍ତ କାର୍ଯ୍ୟକଳାପ ବିଶେଷକରି ଶନିବାର ସ୍କୁଲ ସମୟ ସମ୍ପର୍କରେ କଡ଼ା ଅନୁପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶନିବାର ଦିନ ୧୨ଟା ୩୦ ପୂର୍ବରୁ କୌଣସି ବିଦ୍ୟାଳୟ ବନ୍ଦ କରାଯିବ ନାହିଁ । ଏହି କ୍ଷେତ୍ରରେ ଯେକୌଣସି ବିଚ୍ୟୁତିକୁ ଗମ୍ଭୀରତାର ସହ ବିଚାର କରାଯିବ ଏବଂ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବ୍ଲକର ବିଇଓମାନେ ଦାୟୀ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।
Comments are closed.