Latest Odisha News

BREAKING NEWS

ଆଫଗାନିସ୍ତାନରେ ୬ ଥର ଭୂକମ୍ପ ଝଟକା: ୯ ମୃତ, ୧୮୦ ଆହତ

ନୂଆଦିଲ୍ଲୀ:  ଆଫଗାନିସ୍ତାନରେ ଗତକାଲି ରାତିରେ କେନ୍ଦ୍ରୀଭୂତ ହୋଇଥିବା ଭୀଷଣ ଭୂମିକମ୍ପ ବିଭିନ୍ନ ଦେଶରେ ପ୍ରଭାବ ପକାଇଛି । ଭୂକମ୍ପ ଝଟକାରେ ଥରି ଉଠିଛି ଭାରତରୁ ପାକିସ୍ତାନ । ପାକିସ୍ତାନରେ ଭୂକମ୍ପ ପ୍ରଭାବରେ  ବର୍ତ୍ତମାନସୁଦ୍ଧା  ୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।  ୧୮୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି ।

ଗତକାଲି ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ବୋଲି ଜଣାପଡିଛି ।  ସିସ୍ମଲଜି ବିଭାଗ ଅନୁସାରେ, ରାତି ୧୦ଟା ୧୭ରେ ଆଫଗାନିସ୍ତାନଠାରୁ ୯୦ କିମି ଦୂର କଲଫଗନ ଥିଲା ଏହାର ଉତ୍ପତିସ୍ଥଳ ।

ଭୂକମ୍ପର କେନ୍ଦ୍ର ପାକିସ୍ତାନଠାରୁ ୧୮୦ କିଲୋମିଟର ଦୂରରେ ଥିଲେ ବି ଏଥିରେ ପାକିସ୍ତାନର ଲାହୋର, ଇସ୍ଲାମାବାଦ, ରାୱଲପିଣ୍ଡି, କ୍ୱେଟା, ପେଶାୱର, କୋହାଟ ସମେତ ଅନ୍ୟ କିଛି ସହର ଦୋହଲିଯାଇଥିଲା । ଲୋକେ ଭୟରେ ଘର ବାହାରକୁ ଚାଲି ଆସିଥିଲେ ।  ପ୍ରଥମ ଭୂକମ୍ପ ଝଟକା ଗତକାଲି ରାତି ୧୦ଟା ୧୭ରେ ଅନୁଭୂତ ହୋଇଥିଲେ ହେଁ ଏହା ପରେ ରହି ରହି ୬ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରୁ ୩ଟିର କେନ୍ଦ୍ର ଆଫଗାନିସ୍ତାନ ଥିଲା । ଅନ୍ୟ ତିନୋଟିର ସ୍ଥାନ କିନ୍ନୋର, ତାଜାକିସ୍ତାନ ଏବଂ ନେପାଳ ଥିଲା । ତେବେ ଏହି ଝଟକାର ତୀବ୍ରତା ୫ରୁ କମ ଥିବା ଜଣାଯାଇଛି ।

କେବଳ ଏତିକି ନୁହେଁ ଏହି ଭୂମିକମ୍ପରେ ଉତ୍ତରଭାରତର ଦିଲ୍ଲୀ ସମେତ ଦିଲ୍ଲୀ-ଏନସିଆର ସମେତ ପଞ୍ଜାବ, ହରିୟାଣା, ଜାମ୍ମୁକାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରାୟ ୨ ମିନିଟ ଧରି ଏହାର କମ୍ପନ ଦିଲ୍ଲୀ ଏନସିଆର ଅଞ୍ଚଳରେ ଲୋକେ ଅନୁଭବ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ଖୋଲା ସ୍ଥାନକୁ ପଲାଇ ଆସିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.