Latest Odisha News

BREAKING NEWS

ପୁଣି ଘରୋଇ ବିଶ୍ୱବିଦ୍ୟାଳୟରେ ରାଗିଂ: ଡ୍ରଗ୍ସ ନେବାକୁ ମନା କରିବାରୁ ଛାତ୍ରଙ୍କୁ ପିଆଇ ଦେଲେ ଶୌଚାଳୟ ପାଣି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତଥା ପିପିଲି ସଂଲଗ୍ନ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ପୁଣି ଥରେ ରାଗିଂର ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି। କ୍ୟାମ୍ପସ ଭିତରେ ନିଶା କାରବାର ଓ ଦାଦାଗିରିର ଶିକାର ହୋଇଛନ୍ତି ଜଣେ ଛାତ୍ର। ଡ୍ରଗ୍ସ ସେବନ ନକରିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ଼। ଏଭଳି ସାଂଘାତିକ ଅଭିଯୋଗ ଉଠାଇଛନ୍ତି ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟ ଛାତ୍ର। ଡ୍ରଗ୍ସ ସେବନ ନକରିବାରୁ କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିବା ସହ ଶୌଚାଳୟ ପାଣି ପିଆଇଥିବା ଅଭିଯୋଗ।

ଅଭିଯୋଗ ଅନୁଯାୟୀ, ଡ୍ରଗ୍ସ ନେବାକୁ ମନା କରିବାରୁ ଏବଂ ଜୋର ଜବରଦସ୍ତ ଟଙ୍କା ଦାବି କରି ସିନିୟର ଛାତ୍ରମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାଟି ଗତ ୨୪ ତାରିଖରେ ଘଟିଥିଲା । ପୀଡିତ ଛାତ୍ର କ୍ଲାସ୍‌ରେ ଥିବାବେଳେ ଜଣେ ସହପାଠୀ ଓ ଅନ୍ୟ ସିନିୟର ଛାତ୍ରମାନେ ମିଶି ତାଙ୍କୁ ଦ୍ୱିତୀୟ ମହଲାରେ ଥିବା ଶୌଚାଳୟକୁ ନେଇ ଯାଇଥିଲେ। ସେଠାରେ ଦୀର୍ଘ ୨ ଘଣ୍ଟା ଧରି ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚାଲିଥିଲା। ଛାତ୍ରଙ୍କୁ ଡ୍ରଗ୍ସ ସେବନ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଶେଷରେ ହାଉସ କିପିଂ ଷ୍ଟାଫ୍ ସେଠାରେ ପହଞ୍ଚିବାରୁ ଅଭିଯୁକ୍ତମାନେ ତାଙ୍କୁ ଛାଡ଼ିଥିଲେ।

ପୀଡ଼ିତ ଛାତ୍ରଙ୍କ କହିବା ମୁତାବକ, ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ଏବଂ ଆତ୍ମହତ୍ୟା କରିବାକୁ ଚାପ ପକାଯାଉଛି। ତେବେ ଦୁର୍ଭାଗ୍ୟଜନକ ବିଷୟ ହେଉଛି, କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ୱ ଦେଇନଥିଲେ ବରଂ ଘଟଣାକୁ ପିଲାଖେଳ କହି ଚପାଇ ଦେବାକୁ ଚେଷ୍ଟା କରିଥିଲେ ଏବଂ ଆପୋଷ ବୁଝାମଣା କରିନେବାକୁ ପରାମର୍ଶ ଦେଇଥିଲେ। କର୍ତ୍ତୃପକ୍ଷଙ୍କ ନୀରବତା ପରେ ବାଧ୍ୟ ହୋଇ ଛାତ୍ର ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.