ଅଗଷ୍ଟ ୧ରୁ ୧୪ ପର୍ୟ୍ୟନ୍ତ ଆନ୍ଦୋଳନ କରିବ ଛାତ୍ର ଓ ଯୁବ ବିଜେଡି
ରାଜ୍ୟର ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ଦେବେ ସ୍ମାରକପତ୍ର
ଭୁବନେଶ୍ୱର: ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର ଓ ଯୁବ ବିଜେଡି।
ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଅଗଷ୍ଟ ୧ତାରିଖରୁ ଦ୍ଵିତୀୟ ପର୍ୟ୍ୟାୟ ଆନ୍ଦୋଳନ ଆରମ୍ଭ ହେବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଯୁବ ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ବ୍ୟୋମକେଶ ରାୟ କହିଥିଲେ, ଗତ ୧୩ ମାସ ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିବା ସହିତ ନାରୀ ନିର୍ୟ୍ୟାତନା ଅହେତୁକ ବୃଦ୍ଧି ପାଇଛି। ରାଜ୍ୟରେ ଛାତ୍ରୀମାନେ ବେଳାଭୂମି ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସରେ ମଧ୍ୟ ସୁରକ୍ଷିତ ନାହାନ୍ତି। ବିଭିନ୍ନ ଛାତ୍ରୀ ନିବାସରେ ନାବାଳିକା ମାନେ ଗର୍ଭବତୀ ହେଉଛନ୍ତି। ଛାତ୍ରୀ ଓ ନାରୀ ମାନେ ଅସୁରକ୍ଷିତ ହୋଇ ପଡିଥିଲା ବେଳେ ରାଜ୍ୟ ବିଜେପି ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ପ୍ରସଙ୍ଗରେ ବିଜୁ ଜନତା ଦଳ ତରଫରୁ ବାଲେଶ୍ୱର ବନ୍ଦ, ଲୋକସେବା ଭଵନ ଘେରାଉ କରିଥିଲା।
ଏବେ ଦ୍ଵିତୀୟ ପର୍ୟ୍ୟାୟରେ ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯିବ। ଏଥିରେ ଛାତ୍ରଛାତ୍ରୀ ମାନେ ତାଙ୍କ ଅଞ୍ଚଳର ଥାନା ଓ ଏସପିଙ୍କୁ ଭେଟି ରାଜ୍ୟର ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରଦାନ ସମ୍ବନ୍ଧରେ, ଡିଜି ପୋଲିସଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବେ।
ସେହିପରି ଅଗଷ୍ଟ ୮ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ରାଜ୍ୟର ଛାତ୍ରଛାତ୍ରୀ ମାନେ ରାଜ୍ୟର ଗୃହମନ୍ତ୍ରୀର ଦାୟିତ୍ୱ ତୁଲାଉଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟକୁ ଖୋଲା ଚିଠି ପଠାଇବେ। ସେହିପରି ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ନିକଟରେ ଘଟି ଯାଇଥିବା ଘଟଣାମାନଙ୍କୁ ନେଇ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜ୍ୟା ଓ ନିନ୍ଦା ସାଉଁଟିଛି। ଆମେରିକା ରାଷ୍ଟ୍ରପତିଙ୍କ ଅଫିସରୁ ଜାରି କରାଯାଇଥିବା ଏକ ଟ୍ରାଭେଲ ଆଡ଼ଭାଇଜେରିରେ ଓଡିଶା ସମେତ ଦେଶର ଛଅଟି ରାଜ୍ୟକୁ ନଯିବା ପାଇଁ ଏହାର ନାଗରିକ ମାନଙ୍କୁ କହିଥିଲେ। ବିଶେଷକରି ନାରୀ ଅସୁରକ୍ଷିତ ଓ ଉଗ୍ରବାଦ ବୃଦ୍ଧି ଦର୍ଶାଇ ଏହି ବାରଣ କରାଯାଇଥିବାରୁ ଓଡିଶା ପାଇଁ ଏହା ଲଜ୍ଜ୍ୟା ଓ ନିନ୍ଦା ଆଣିଥିଲା।
Comments are closed.