Latest Odisha News

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ବାହାରି ପାରିଲାନି ନିଷ୍କର୍ସ

ପୁରୀ: ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଥିଲେ ମଧ୍ୟ ସିଂହଦ୍ଵାର ବ୍ୟତୀତ ଅନ୍ୟ କେଉଁ ଦ୍ଵାର ଖୋଲିବ ସେ ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ବେଳେ ଅନେକ ମତାମତ ଆସିଛି । ଏସବୁକୁ ନେଇ ଏକ ସବ କମିଟି ଗଠନ କରାଯାଇଛି ।

ସବ କମିଟି ବୈଠକ ବସିବା ପରେ ନିଷ୍ପତ୍ତି ସମ୍ପର୍କରେ ଜଣାଯିବ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି । ତେବେ ଖୁବଶୀଘ୍ର ପୁରୀ ବାସୀଙ୍କ ପାଇଁ ପଶ୍ଚିମ କିମ୍ବା ଦକ୍ଷିଣ ଦ୍ଵାର ଖୋଲିବାର ସମ୍ଭାବନା ରହିଛି । ଓବିସିସି ପକ୍ଷରୁ ହେଉଥିବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ ଦିଆଯାଇଛି ।

ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ସେବାୟତଙ୍କ ଭିନ୍ନ ଭିନ୍ନ ପ୍ରସ୍ତାବ ଆସିଥିବାରୁ ସବ୍ କମିଟି ବୈଠକରେ ସମସ୍ତ ଦିଗକୁ ନେଇ ତର୍ଜମା ପରେ ଶ୍ରୀମନ୍ଦିର ଚାରି ଦ୍ଵାର କିଭଳି ଓ କେବେ ଖୋଲିବ ତାହା ସ୍ପଷ୍ଟ ହେବ । ଅନ୍ୟପଟେ ଶ୍ରୀମନ୍ଦିରରେ ଆସନ୍ତା ବୁଧବାର ବନକ ଲାଗି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ  ଛତିଶା ନିଯୋଗ ବୈଠକରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସପି, ସମସ୍ତ ନିଯୋଗର ସେବାୟତ ପ୍ରତିନିଧି, ପରିଚାଳନା କମିଟିର ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଛତିଶା ନିଯୋଗ ବୈଠକରେ ଗଠନ କରାଯାଇଥିବା ସବ କମିଟିରେ ବରିଷ୍ଠ ସେବାୟତଙ୍କ ସହ ଉପ ଜିଲ୍ଲାପାଳ, ପୋଲିସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି ।

Leave A Reply

Your email address will not be published.