Latest Odisha News

ସରୁନି ଦାଦନ ଦୁଃଖ, ପୁଣି ଏକ ଦାଦନ ଶ୍ରମିକର ମୃତ୍ୟୁ

ସୋନପୁର: ପୁଣି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛି ପୁଣି ଜଣେ ଦାଦନ ଶ୍ରମିକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁର ଦାଦନ ଶ୍ରମିକ ବୁଦ୍ଧଦେବ ମେଣ୍ଡେଲିଙ୍କ ମହାରାଷ୍ଟ୍ର ପୁନେ ସହରରେ ମୃତ୍ୟୁ ହୋଇଛି । କିନ୍ତୁ ଦୁଃଖର କଥା ଏଇଟା ଯେ ମୃତଦେହ ଆଣିବାକୁ ମଧ୍ୟ ପରିବାର ଲୋକଙ୍କ ପାଖରେ ଅର୍ଥ ନାହିଁ ।

ସୂଚନା ଅନୁସାରେ, ଗତ ତିନି ବର୍ଷ ହେବ ହିଲୁଙ୍ଗ ଗାଁର ହୀରାମଣୀ ମେଣ୍ଡେଲୀଙ୍କ ୨୨ ବର୍ଷିୟ ପୁଅ ବୁଦ୍ଧଦେବ ସୁଦୁର ପୁନେକୁ ଦାଦନ ଖଟିବାକୁ ଯାଇଥିଲେ । ଗତ ୧ ତାରିଖ ଦିନ ଛାତ ପକାଉଥିବା ବେଳେ ଅଚାନକ ଛାତ ଉପରୁ ପଡିଯାଇଥିଲେ ବୁଦ୍ଧଦେବ। ତୁରନ୍ତ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ ହୋଇଛି ।

ବୁଦ୍ଧଦେବଙ୍କ ମୃତ୍ୟୁ ହେବା ପରେ ମାଲିକ ପରିବାର ଲୋକଙ୍କୁ ଖବର ଦେବା ସହ ତାଙ୍କ ଶବ ବ୍ୟବଚ୍ଛେଦ କରିଥିଲେ । ହେଲେ ପରିବାର ଲୋକ ଅତି ଗରୀବ ଶ୍ରେଣୀର ହୋଇଥିବାରୁ ପୁଅ ମୃତ୍ୟୁ ଖବର ପାଇ ମଧ୍ୟ ମୃତଦେହ ଆଣିବାକୁ ସକ୍ଷମ ହୋଇପାରୁ ନାହାନ୍ତି । ସେଥିପାଇଁ ମୃତ ଦେହ ଆଣିବା ପାଇଁ ହୀରାମଣୀ ରାଜ୍ୟ ଶ୍ରମ ବିଭାଗକୁ ଗୁହାରୀ କରିଥିଲେ । ପ୍ରଶାସନର ହସ୍ତକ୍ଷେପ ପରେ ଗତକାଲି ଠାରୁ ହୀରାମଣୀଙ୍କ ସମ୍ପର୍କୀୟ ଦୁଇଜଣ ବୁଦ୍ଧଦେବଙ୍କ ମୃତଦେହ ଆଣିବାକୁ ଯାଇଛନ୍ତି।

Leave A Reply

Your email address will not be published.