Latest Odisha News

ନିଜ କାମ ସମ୍ପର୍କରେ ଏବେ ପ୍ରତିମାସ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ୍

ଭୁବନେଶ୍ୱର: ନୂତନ ମନ୍ତ୍ରୀମଣ୍ଡଳ ଓ ପ୍ରଶାସନ ମାଧ୍ୟମରେ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରିବା ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ତାଙ୍କୁ ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଜୁଲାଇ ୭ ତାରିଖ ମଧ୍ୟରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ପ୍ରଥମ ରିପୋର୍ଟ ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଯେ ମଇ ୨୯ ତାରିଖ ଦିନ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳର ବୈଠକ ବସି ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତଥା ଦଳୀୟ ଇସ୍ତାହାରର ପ୍ରସ୍ତାବ ଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରିଥିଲେ ।

ସେତେବେଳେ ମନ୍ତ୍ରୀପରିଷଦର ସଦସ୍ୟମାନଙ୍କୁ ଉଦବୋଧନ ଦେଇ ମୁ୍ଖ୍ୟମନ୍ତ୍ରୀ କହିଥିଲେ ଯେ, “ଆଜିଠାରୁ ଠିକ୍ ୩୬୫ ଦିନପରି ୨୦୨୦ ମଇ ୨୯ ତାରିଖ ଦିନ ଆମେ ଲୋକଙ୍କୁ ଦେଇଥିବା ଆମର ପ୍ରତିଶ୍ରୁତି ଓ ଏହାର ରୂପାୟନ ସମ୍ପର୍କରେ ଜଣାଇବୁ । ମୁଁ ଚାହେଁ ଆମ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଏହି ପ୍ରତିଶ୍ରୁତି ଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶାସନର ୫ଟି ଟି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ, ସେହିଗୁଡ଼ିକ ହେଲା – ଟିମ୍ ୱର୍କ, ଟ୍ରାନ୍ସପରେନ୍ସ, ଟେକ୍ନୋଲୋଜି, ଟ୍ରାନ୍ସଫୋରମେନସନ ଏବଂ ଟାଇମ । ମୁଖ୍ୟମନ୍ତ୍ରୀ ଗରିବୀ ଦୂର କରିବା, ମହିଳା ମାନଙ୍କ ବିକାଶ ଏବଂ ଅଭିବୃଦ୍ଧିରେ ସମାନ ଭାଗିଦାରୀ, ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଏବଂ ଅଭିବୃଦ୍ଧିରେ ସମାନ ଭାଗିଦାରୀ, ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଏବଂ ଯୁବକମାନଙ୍କ ସ୍ୱପ୍ନର ସଫଳ ରୂପାୟନ ଜରିଆରେ ଏକ ସଶକ୍ତ ଓଡ଼ିଶା ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

Comments are closed.