Latest Odisha News

BREAKING NEWS

ଶ୍ରୀମନ୍ଦିର ରତ୍ନଭଣ୍ଡାର ତୁରନ୍ତ ଖୋଲିବା ଓ ମରାମତି କରିବା ନେଇ ପୁଣି ଦାବି କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଉ। ତୁରନ୍ତ ରତ୍ନଭଣ୍ଡାରକୁ ମରାମତି କରାଯାଉ। ପୁଣି ଏଭଳି ଦାବି କରିଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ବିଚ୍‌ରେ ଏହି ପ୍ରସଙ୍ଗରେ ଏକ ବାଲୁକା ଚିତ୍ରକଳା କରି ରାଜ୍ୟ ସରକାରଙ୍କୁ ଏହି ବାର୍ତ୍ତା ଦେଇଛନ୍ତି।

ସୁଦର୍ଶନ କହିଛନ୍ତି ଗତ ୨୦୧୮ ମସିହାରେ ଏଏସଆଇର ରିପୋର୍ଟ୍ କହୁଛି ରତ୍ନ ଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି। ରତ୍ନ ଭଣ୍ଡାର ଛାତରୁ ପାଣି ଗଳୁଥିବା ବେଳେ ଛାତ ଦୁର୍ବଳ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ଫାଟ ରହିଛି। ପଥର ବି ଖସିଥିବା ଏଏସଆଇ ରିପୋର୍ଟରେ ଉଲ୍ଲେଖ ଅଛି। ହେଲେ ଦୁର୍ଭାଗ୍ୟର ବିଷୟ ପୂର୍ବ ସରକାର ରତ୍ନ ଭଣ୍ଡାରର ମରାମତି ନେଇ କୌଣସି ପଦକ୍ଷେପ ନେଲେ ନାହିଁ। ତେବେ ନୁଆ ସରକାର ଆସିବା ପରେ ରତ୍ନ ଭଣ୍ଡାର ଖୋଲାଯାଇ ମରାମତି ହେବ ବୋଲି ସବୁ ଭକ୍ତଙ୍କ ଆଶା ରହିଛି।

ଯେହେତୁ ବିଜେପି ସରକାର ଗଠନ ହେବାର କିଛି ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ଵାର ଭକ୍ତଙ୍କ ପାଇଁ ଖୋଲିଲା ଏଣୁ ଭକ୍ତଙ୍କ ବିଶ୍ୱାସ ରହିଛି ବିଜେପି ସରକାର ରତ୍ନ ଭଣ୍ଡାର ଖୋଲି ଏହାର ମରାମତି କରିବେ। ଶ୍ରୀମନ୍ଦିର ସୁରକ୍ଷା ହେଉଛି ଆମ ଓଡ଼ିଆଙ୍କ ପ୍ରାଥମିକ କାର୍ଯ୍ୟ। ଓଡ଼ିଆ ଜାତିର ପରିଚୟ, ଗର୍ବ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର। ଏଣୁ ଏହାର ସୁରକ୍ଷା ହେଉଛି ପ୍ରଥମ କାର୍ଯ୍ୟ। ତୁରନ୍ତ ଆଉ ବିଳମ୍ବ ନକରି ରାଜ୍ଯ ସରକାର ରତ୍ନ ଭଣ୍ଡାର ଖୋଲି ମରାମତି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

 

Comments are closed.