Latest Odisha News

BREAKING NEWS

ସରିଲା ଖରା ଛୁଟି, ଆଜିଠୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ସରିଲା ଖରାଛୁଟି। ଆଜି ରାଜ୍ୟରେ ଖୋଲିବ ସ୍କୁଲ୍। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍। ଝାଡ଼ାବାନ୍ତି ବ୍ୟାପୁଥିବାରୁ ସତର୍କତା ଅବଲମ୍ବନ କରାଯାଇଛି। କ୍ୟାମ୍ପସ୍‌ରେ ସ୍ବଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଝାଡ଼ାବାନ୍ତି ଯୋଗୁଁ ଯାଜପୁର, ଭଦ୍ରକ ଜିଲ୍ଲାରେ ସ୍କୁଲ୍ ଛୁଟି ରହିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଆଜି ଟ୍ବିନ୍‌ ସିଟିରେ ସ୍କୁଲ୍ ବନ୍ ରହିବ।

ଗଣଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ହଷ୍ଟେଲ ଆଜିଠାରୁ ଖୋଲିବାକୁ ଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁବନେଶ୍ବର ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଓ କଟକ ସହରରେ ଥିବା ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା ହୋଇଛି। ୨୧ ତାରିଖ ଏହି ଦୁଇ ସହରର ବିଦ୍ୟାଳୟ ଖୋଲିବ।

ପିଇବା ପାଣି ଝାଡ଼ାବାନ୍ତିର ପ୍ରମୁଖ କାରଣ ହୋଇଥିବାରୁ ଅନେକ ସ୍ଥାନରେ ଜଳ ବିଶୋଧନ ଓ ସଫେଇ କାମକୁ ଗୁରୁତ୍ବ ଦିଆଯାଇଛି। ସ୍କୁଲ ଖୋଲିଲେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବେ ଓ ପାନୀୟଜଳ ପିଇବେ, ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି। ମଧ୍ୟାହ୍ନ ଭୋଜନରେ ଗରମ ଖାଦ୍ୟ ସହ ଫୁଟା ପାଣି ଦିଆଯିବ। ହଷ୍ଟେଲରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ ହେବ। ସ୍କୁଲ ପରିବେଶ ସହ ପାଣି ଟାଙ୍କି ସଫା କରିବା ଉପରେ ବିଭାଗ ଗୁରୁତ୍ବ ଦେଇଛି। ବିଦ୍ୟାଳୟ ଖୋଲିବା ପରେ ଅଭିଭାବକ ସ୍କୁଲ ପରିବେଶ ଓ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିପାରିବେ। ଝାଡ଼ାବାନ୍ତି ବ୍ୟାପୁଥିବାରୁ ସ୍ଥିତି ବିଗିଡ଼ିଲେ ଜିଲ୍ଲାପାଳ ମାନେ ଶିକ୍ଷାନୁଷ୍ଠାନ ବନ୍ଦ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comments are closed.