Latest Odisha News

BREAKING NEWS

ଭିନ୍ନକ୍ଷମମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ଓ କୃତ୍ରିମ ଅଂଗରୋପଣ ସେବା ଯୋଗାଇ ଦେବ ସୁଦରଗଡ଼ ପ୍ରଶାସନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ (ଏଆରସି) ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କେନ୍ଦ୍ରରୁ ଜିଲ୍ଲାରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ କିପରି ଉପଯୁକ୍ତ ସେବା ପାଇବେ ସେନେଇ ପ୍ରଶାସନ ପଦକ୍ଷେପ ନେଉଛି। ଏଥିପାଇଁ ଗାଁ ଗାଁରେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ହିତାଧିକାରୀ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି।

‘‘ଗତ ଦୁଇ ମାସ ହେଲା ଏହି ପ୍ରକ୍ରିୟା ଚାଲିଛି। ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ ନିଜ ନିଜ ଅଞ୍ଚଳରେ ହିତାଧିକାରୀଙ୍କୁ ଚିହ୍ନଟ କରି ବ୍ଲକକୁ ତାଲିକା ଦେବେ। ଏଥିପାଇଁ ଏକ ଫର୍ମାଟ ପ୍ରସ୍ତୁତ କରଯାଇଛି। ବ୍ଲକ ସ୍ତରରେ ହିତାଧିକାରୀମାନଙ୍କର ଡାଟାବେସ୍ ପ୍ରସ୍ତୁତ କରାଯିବା ପରେ ତାହା ଜିଲ୍ଲାକୁ ଆସିବ। ଫଳରେ ଏଆରସିରୁ ସେବା ଯୋଗାଇ ଦେବା ପାଇଁ ହିତାଧିକାରୀମାନଙ୍କୁ ସିଧାସଳଖ ଯୋଗାଯୋଗ କରାଯିବ’’, ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ବିସି।

ହିତାଧିକାରୀ ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ସ୍ତରରେ ଏକ ସମନ୍ୱୟ କମିଟି ଗଠନ କରାଯାଇଛି। ପ୍ରତି ବ୍ଲକରେ ବିଡିଓ ଏହି କମିଟର ଅଧ୍ୟକ୍ଷ ରହିଛନ୍ତି।

‘‘ସୁନ୍ଦରଗଡ଼ରେ ଥିବା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଭିନ୍ନକ୍ଷମଙ୍କ ଜୀବନ ଓ ଜୀବିକାକୁ ଏକ ନୂଆ ରୂପରେ ଆଗେଇ ନେବାରେ ସାହାଯ୍ୟ କରୁଛି। ତେଣୁ ଜିଲ୍ଲାର ଅଧିକରୁ ଅଧିକ ହିତାଧିକାରୀ କିଭଳି ଏହି ଅତ୍ୟାଧୁନିକ ଏହି ସେବା ପାଇ ପାରିବେ ସେଥିପାଇଁ ଜିଲ୍ଲାବ୍ୟାପୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ।

ଗରିବ ଶ୍ରେଣୀର ହିତାଧିକାରୀମାନଙ୍କୁ କୃତ୍ରିମ ଅଙ୍ଗ ରୋପଣ ସେବା ମାଗଣାରେ ଯୋଗାଇ ଦିଆଯାଉଛି। ଏଥିପାଇଁ ହିତାଧିକାରୀଙ୍କ ବାର୍ଷିକ ଆୟ ୨ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟରେ ହୋଇଥିବା ଦରକାର। ସେହିପରି ଭିନ୍ନକ୍ଷମ ପ୍ରମାଣପତ୍ର, ରାସନ କାର୍ଡ, ବିପିଏଲ କାର୍ଡ ଏବଂ ଭିନ୍ନକ୍ଷମ ଭତ୍ତାଧାରୀମାନେ ମଧ୍ୟ ଏହି ସେବା ମାଗଣାରେ ପାଇପାରିବେ।

ଏହି କେନ୍ଦ୍ରରେ ସମସ୍ତଙ୍କ ପାଇଁ ମାଗଣାରେ ରୋବୋଟିକ୍ସ ଫିଜିଓଥେରାପି ସେବା ଯୋଗାଇ ଦିଆଯାଉଛି। ତେବେ କୃତ୍ରିମ ଅଙ୍ଗ ରୋପଣ ସେବା ନେବାକୁ ଚାହୁଁଥିବା କୌଣସି ବ୍ୟକ୍ତିଙ୍କର ବାର୍ଷିକ ଆୟ ୨ ଲକ୍ଷ ୪୦ ହଜାର ଟଙ୍କାରୁ ଅଧିକ ହୋଇଥିଲେ ଏଥିପାଇଁ ତାଙ୍କୁ ସରକାରଙ୍କ ନିର୍ଦ୍ଧାରିତ ଦେୟ ହିସାବରେ ଅର୍ଥ ଦେବାକୁ ପଡ଼ିବ।

ଭିନ୍ନକ୍ଷମମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ଲକ୍ଷ୍ୟରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଉଦ୍ୟମରେ ପ୍ରତିଷ୍ଠା ହୋଇଛି ରାଜ୍ୟର ଏହି ଦ୍ୱିତୀୟ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମଏଫ) ଆର୍ଥିକ ସହାୟତାକ୍ରମେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏହି କେନ୍ଦ୍ର ଖୋଲାଯାଇଛି। ଜିଲ୍ଲାର ଭିନ୍ନକ୍ଷମ ହିତାଧିକାରୀମାନେ ଏହି ସେବା ପାଇବା ପାଇଁ ସ୍ଥାନୀୟ ଆଶା କିମ୍ବା ଅଙ୍ଗନବାଡ଼ି କର୍ମୀଙ୍କ ସହ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୁନ୍ଦରଗଡ଼ ସହ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼, ବରଗଡ଼ ଏବଂ କଳାହାଣ୍ଡି ଆଦି ୭ଟି ଜିଲ୍ଲାର ଭିନ୍ନକ୍ଷମମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ପୁନର୍ବାସ ସେବା ପ୍ରଦାନ କରିବା ହେଉଛି ସୁନ୍ଦରଗଡ଼ସ୍ଥିତ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ମୂଳ ଲକ୍ଷ୍ୟ।

Leave A Reply

Your email address will not be published.