ରାଉରକେଲା: ସୁନ୍ଦରଗଡ଼ ଏସପି ଆଇପିଏସ ସୌମ୍ୟା ମିଶ୍ରଙ୍କ ଏକ ପ୍ରଶଂସନୀୟ କାର୍ଯ୍ୟ ସମଗ୍ର ଜିଲ୍ଲାରେ ଏବେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି । ଏସପି ସୌମ୍ୟା ମିଶ୍ର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ରାସ୍ତାରୁ ଉଦ୍ଧାର କରି ଡ଼ାକ୍ତରଖାନାକୁ ନିଜ ଗାଡ଼ିରେ ବୋହିନେଲେ । ଏହି କାର୍ଯ୍ୟ ଲାଗି ସେ ସମଗ୍ର ଜିଲ୍ଲାରେ ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି । ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟଲାଗି ଜିଲ୍ଲାବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ରାଜଗାଙ୍ଗପୁର ଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ନିକଟସ୍ଥ ବିଜୁ ଏକ୍ସପ୍ରେସୱେରେ ଯିବା ବେଳେ ସୌମ୍ୟା ରକ୍ତରେ ଜୁଡୁବୁଡୁ ଜଣେ ସାଇକେଲ ଆରୋହୀ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିଲେ । କାଳବିଳମ୍ବ ନକରି ସୌମ୍ୟା ଏହି ମୁର୍ମୂଷୁ ଦୁର୍ଘଟଣାଗ୍ରସ୍ତ ପୀଡ଼ିତଙ୍କୁ ତୁରନ୍ତ ନିଜ ସରକାରୀ ଗାଡ଼ିରେ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ନେଇଯାଇଥିଲେ ।
ପୀଡ଼ିତ ଜଣକ ହେଲେ ରାଜେନ୍ଦ୍ର କିସପେଟା । ରାଜେନ୍ଦ୍ର ରାସ୍ତାରେ ସାଇକେଲ ଚଳାଇ ଯାଉଥିବା ବେଳେ ଏକ ମୋଟରସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତ କ୍ଷରଣ ହୋଇଛି । ସବୁଠାରୁ ବଡ଼ କଥା ହେଲା ଏସପିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ତାଙ୍କ ସହିତ ରହିଥିବା ପୋଲିସ କର୍ମଚାରୀମାନେ ନିଜ ପୋଲିସ ପୋଷାକକୁ ଷ୍ଟ୍ରେଚର୍ କରି ଗାଡ଼ି ମଧ୍ୟକୁ ଆହତ ରାଜେନ୍ଦ୍ରଙ୍କୁ ବୋହି ନେଇ ଆସିଥିଲେ । ଏହି ଘଟଣାରେ ସମଗ୍ର ଜିଲ୍ଲାବାସୀ ଏସପି ସୌମ୍ୟାଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ।
ରାଜେନ୍ଦ୍ରଙ୍କୁ ତୁରନ୍ତ କୁତ୍ରା ହସ୍ପିଟାଲ ଏବଂ ପରେ ଅଧିକ ଚିକିତ୍ସା ଲାଗି ରାଜଗାଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତର ଆଘାତ ଲାଗିଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ବାଇକରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ଏହି ଦୁଇ ପୀଡ଼ିତ ହେଲେ ପ୍ରଦୀପ ସିଂହ ଏବଂ ଭୀବ ନାମକ ଜଣେ ବ୍ୟକ୍ତି ।
ଏଠାରେ ସୂଚନାଯୋଗ୍ୟ, ନିକଟରେ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭନଷ୍ଟ ହେବା ଅଭିଯୋଗରେ ଏସପି ସୌମ୍ୟା ଛନ୍ଦି ହୋଇ ପଡ଼ିଥିଲେ । ତାଙ୍କ ବିରୋଧରେ ସୁନ୍ଦରଗଡ଼ ଏସଡ଼ିଜିଏମଙ୍କ ନିର୍ଦ୍ଦେଶକ୍ରମେ ଏକ ମାମଲା ଥାନାରେ ରୁଜୁ ହୋଇଥିଲା । ଏହାକୁ ନେଇ ଗତ କିଛିଦିନ ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଥିଲା ।
Comments are closed.