Latest Odisha News

Sunita Williams: ବିଦାୟ ନେଲେ ମହାକାଶର ‘ରାଜକୁମାରୀ’

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ ଜଗତରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ୨୭ ବର୍ଷର ସେବା ପରେ ନାସାର ପ୍ରସିଦ୍ଧ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଅବସର ଗ୍ରହଣ କରିଛନ୍ତି। ମହାକାଶରେ ଅନେକ ଅସାଧାରଣ ରେକର୍ଡର ଅଧିକାରିଣୀ ସୁନୀତାଙ୍କ ଏହି ଯାତ୍ରା କେବଳ ନାସା ପାଇଁ ନୁହେଁ, ବରଂ ସାରା ବିଶ୍ୱର ମହିଳାମାନଙ୍କ ପାଇଁ ଏକ ପ୍ରେରଣା ।

୨୭ ଡିସେମ୍ବର ୨୦୨୫ – ଏହି ତାରିଖ ସହ ମହାକାଶ ବିଜ୍ଞାନର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି ।ତିନୋଟି ବଡ଼ ମିଶନ ଏବଂ ମହାକାଶରେ ମୋଟ ୬୦୮ ଦିନ । ସୁନୀତା ୱିଲିୟମ୍ସ କେବଳ ଜଣେ ମହାକାଶଚାରୀ ନୁହଁନ୍ତି, ସେ ହେଉଛନ୍ତି ଜଣେ ରେକର୍ଡଧାରୀ । ନାସାର ମହାକାଶଚାରୀଙ୍କ ମଧ୍ୟରେ ମହାକାଶରେ ଦ୍ୱିତୀୟ ସର୍ବାଧିକ ସମୟ ଅତିବାହିତ କରିବା ସହ, ମହିଳାଙ୍କ ମଧ୍ୟରେ ସର୍ବାଧିକ ୬୨ ଘଣ୍ଟାରୁ ଅଧିକ ସମୟ ସ୍ପେସ୍‌ୱାକ୍ କରିବାର ବିରଳ ସଫଳତା ରହିଛି ସୁନୀତାଙ୍କ ନାଁରେ।

ଓହିଓର ୟୁକ୍ଲିଡ୍‌ରେ ଜନ୍ମିତ ସୁନୀତାଙ୍କ ସମ୍ପର୍କ ରହିଛି ଭାରତର ଗୁଜରାଟ ସହିତ । ଭାରତୀୟ ବାପା ଏବଂ ସ୍ଲୋଭେନିଆନ୍ ମା’ଙ୍କ ସନ୍ତାନ ସୁନୀତା । ନିଜର ପରିଶ୍ରମ ବଳରେ ନାସାର ଜଣେ ଦକ୍ଷ କମାଣ୍ଡର ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ମହାକାଶରେ ମାରାଥନ ଦୌଡ଼ିବାରେ ସେ ହେଉଛନ୍ତି ଦୁନିଆର ପ୍ରଥମ ବ୍ୟକ୍ତି। ଚନ୍ଦ୍ର ପୃଷ୍ଠରେ ଅବତରଣ ପାଇଁ ହେଲିକପ୍ଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ମଧ୍ୟ ତାଙ୍କର ଭୂମିକା ଅତୁଳନୀୟ।

ଅବସର ପରେ ସୁନୀତା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ “ଆଖି ସୀମାହୀନ ଆକାଶରେ, ପାଦ ମାଟିରେ” ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏକ ବଡ଼ କଥା କହିଛନ୍ତି। ସୁନୀତାଙ୍କ ମତରେ, ଯେତେବେଳେ ଆପଣ ମହାକାଶରୁ ପୃଥିବୀକୁ ଦେଖନ୍ତି, ସେତେବେଳେ ଦେଶ ଏବଂ ସୀମାକୁ ନେଇ ମଣିଷଙ୍କ ମଧ୍ୟରେ ହେଉଥିବା ଲଢ଼େଇ ଅତି ବୋକାମି ପରି ମନେହୁଏ ବୋଲି କହିଛନ୍ତି ସୁନୀତା। ସୁନୀତା ୱିଲିୟମ୍ସଙ୍କ ଅବସର ହୁଏତ ଏକ ପ୍ରକ୍ରିୟା, କିନ୍ତୁ ତାଙ୍କର ଅଭିଜ୍ଞତା ଏବଂ ମାର୍ଗଦର୍ଶନ ଆଗାମୀ ପିଢ଼ିର ମହାକାଶଚାରୀଙ୍କ ପାଇଁ ଆଲୋକବର୍ତ୍ତିକା ହୋଇ ରହିବ।

Comments are closed.