Latest Odisha News

BREAKING NEWS

ସବୁ ପ୍ରତୀକ୍ଷାର ହେଲା ଅବସାନ: ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା, ଓଠରେ ଫୁଟିଲା ହସ

ୱାଶିଂଟନ: ସରିଲା ୯ ମାସର ଅପେକ୍ଷା। ସବୁ ପ୍ରତୀକ୍ଷାର ହେଲା ଅବସାନ। ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା। ଓଠରେ ଫୁଟିଲା ହସ। ସୁନୀତାଙ୍କ ସହ ୪ ସାଥୀ ସହଯୋଗୀଙ୍କୁ ଦେଖି ନାସା ବି ଖୁସ୍‌। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ । ମହାକାଶ ପରୀ ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି।

ନାସା ଏବଂ ସ୍ପେଶ୍ ଏକ୍ସର ମିଳିତ ଉଦ୍ୟମରେ ମିଳିଛି ସଫଳତା। ଆମେରିକାର ଫ୍ଲୋରିଡ଼ା ତଟରେ ନିର୍ଦ୍ଧାରିତ ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍। ପୃଥିବୀକୁ ଫେରିବା ପୂର୍ବରୁ ଏଥିଲା ସୁନୀତାଙ୍କ ପାଇଁ କିଛି କିଛି ସ୍ଥାନରେ ପ୍ରାର୍ଥନା, ହୋମ ଯଜ୍ଞ, ସହ ଭଗବାନଙ୍କୁ ହୃଦୟରୁ ଡାକିଥିଲେ ଲୋକେ। ସୁନୀତାଙ୍କ ସଫଳ ଯାତ୍ରା ପାଇଁ କାମନା କରିଥିଲେ।

ଅନ୍ୟପଟେ ସୁନିତା ଓ୍ୱିଲିୟମ୍ସଙ୍କ ସହ ବୁଚ୍‌ ଓ୍ୱିଲମୋରଙ୍କ ସଫଳ ପ୍ରତ୍ୟାର୍ତ୍ତନ ନେଇ ଖୁସି ବ୍ୟକ୍ତ କଲେ ଡୋନାଲ୍ଡ ଟ୍ରମ୍ପ। ଏଲନ ମସ୍କ, ସ୍ପେସ୍‌ ଏକ୍ସ ଏବଂ ନାସାକୁ ଧନ୍ୟବାଦ ଜଣାଇଲେ। ପ୍ରତିଜ୍ଞା କଲୁ, ପ୍ରତିଜ୍ଞା ରଖିଲୁ ଲେଖି ‘ଏକ୍ସ’ରେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ପୋଷ୍ଟ କରାଯାଇଛି।

ସୂଚନା ଥାଉକି, ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ ୱିଲମର, ୮ ଦିନର ମିଶନ ବଦଳରେ ପ୍ରାୟ ୯ ମାସ ମହାକାଶରେ ଫସିରହିଥିଲେ। ଗତ ବର୍ଷ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର୍ ମହାକାଶ ଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ମହାକାଶଯାନର ପ୍ରପଲ୍ସନ ସିଷ୍ଟମରେ ତ୍ରୁଟି ଓ ହିଲିୟମ ଗ୍ୟାସ୍ ଲିକ୍ ଯୋଗୁଁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା।

ଶେଷରେ ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ଅନ୍ୟପଟେ ସୁନୀତାଙ୍କ ଫେରିବା ବାଟକୁ ଯେମିତି ଅନାଇ ବସିଛି ଭାରତ। ପୃଥିବୀକୁ ସୁନୀତା ଫେରିଲେ ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିଲାଗି କିଛି ଦିନ ପୂର୍ବରୁ ସୁନୀତାଙ୍କୁ ମୋଦି ଚିଠି ମଧ୍ୟ ଲେଖିଛନ୍ତି।

 

Comments are closed.