କୋଲକତା: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ, ୨୦୨୫ରେ ଭୋର ୩ଟା ୩୦ ସମୟରେ ପୃଥିବୀକୁ ଫେରି ଆସିଛନ୍ତି । ନଅ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲମୋରଙ୍କୁ ଡ୍ରାଗନ୍ କ୍ୟାପସୁଲ୍ ମହାକାଶଯାନ ଦ୍ୱାରା ପୃଥିବୀକୁ ଫେରାଇ ଅଣାଯାଇଛି ।
ସୁନୀତା ୱିଲିୟମ୍ସଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କେବଳ ଆମେରିକା ନୁହେଁ ବରଂ ଭାରତ ସମେତ ସାରା ବିଶ୍ୱରେ ଉତ୍ସବ ପାଳନ କରାଯାଇଥିଲା ଏବଂ ସୁନୀତା ୱିଲିୟମ୍ସଙ୍କ ଧର୍ଯ୍ୟ ଏବଂ ସାହସକୁ ବହୁତ ପ୍ରଶଂସା କରାଯାଇଥିଲା । ଏହି ସମୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଭାରତ ରତ୍ନ ଦାବି କରିଛନ୍ତି ।
ବିଧାନସଭାରେ ମମତା କହିଥିଲେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ମୋର ରୁଚି ରହିଛି । ସୁନିତା ମହକାଶରେ ଫଶିବା ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ଖବରକୁ ମୁଁ ବିଭିନ୍ନ ଉତ୍ସରୁ ନିରୀକ୍ଷଣ କରୁଥିଲି । ପ୍ରତିଦିନ ଏ ସମ୍ପର୍କିତ ତଥ୍ୟକୁ ଅନୁସରଣ କରୁଥିଲି । ସୁନିତା ଭାରତର ଝିଅ । ମହାକାଶ ଯାତ୍ରାରେ ତାଙ୍କ ନିଷ୍ଠାପରତା ପ୍ରଶଂସନୀୟ । ସୁନିତା ଏବଂ ବୁଚ୍ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିବା ପରେ ଆମେ ବହୁତ ଖୁସି ଅନୁଭବ କରୁଛୁ । ସେମାନଙ୍କ ସାହସ ପ୍ରଶଂସାର ପାତ୍ର ।