Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସୂର୍ଯ୍ୟରେ ଦାଗ, ଦେଖିବାକୁ ପୃଥିବୀ ଠାରୁ ୩ ଗୁଣ ବଡ଼

ନୂଆଦିଲ୍ଲୀ: ସୂର୍ଯ୍ୟରେ ଦାଗକୁ ନେଇ ଚିନ୍ତାରେ ବୈଜ୍ଞାନିକ । ପୃଥିବୀ ଠାରୁ ଆକାରରେ ୩ ଗୁଣ ବଡ଼ ଦାଗ ସୂର୍ଯ୍ୟରେ ଦେଖା ଦେଇଛି । ଯାହାକି ଗତ ୨୪ ଘଣ୍ଟାରେ ୨ ଗୁଣ ବୃଦ୍ଧି ପାଇଛି । ଏହା ପ୍ରଭାବରେ ମାଡ଼ି ଆସିପାରେ ଭୟଙ୍କର ସୌର ଝଡ଼ । ଏଭଳି କିଛି ଆଶଙ୍କା କରିଛନ୍ତି ନାସା ସମେତ ଅନ୍ୟ ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକ । ସୂର୍ଯ୍ୟରେ ଦେଖା ଦେଇଥିବା ଦାଗକୁ ନେଇ ବୈଜ୍ଞାନିକ ଚିନ୍ତାରେ । କାରଣ ସୌର ଝଡ଼ ଆସିଲେ ପ୍ରଭାବିତ ହୋଇପାରେ ସାଟେଲାଇଟ୍ । କାମ କରିବା ବନ୍ଦ କରି ଦେଇପାରେ ଜିପିଏସ୍, ଟିଭି, ମୋବାଇଲ୍ ଓ ରେଡିଓ ।

ସ୍ପେସ୍ ୱେଦର ରିପୋର୍ଟ ଅନୁସାରେ, ସୂର୍ଯ୍ୟରେ ଦେଖା ଦେଇଥିବା ଦାଗ ଦ୍ରୁତଗତିରେ ବଢ଼ି ଚାଲିଛି । ମାତ୍ର ୨୪ ଘଣ୍ଟାରେ ଦାଗର ଆକାର ଦୁଇ ଗଣ ବଢ଼ିଛି । ଏହାଦ୍ୱାରା ପୃଥିବୀରେ ମ୍ୟାଗ୍ନେଟିକ୍ ଫିଲ୍ଡ ଉପରେ ପ୍ରଭାବ ପଡ଼ିପାରେ । ଏପରିକି ଏହାର ପ୍ରଭାବରେ ପୃଥିବୀର ଉତ୍ତର ଓ ଦକ୍ଷିଣ ମେରୁ ଯେଉଁଠି ୬ ମାସ ରାତି, ୬ ମାସ ଦିନ ହୋଇଥାଏ ସେଠି ରଙ୍ଗୀନ ଆଲୋକ ଦେଖାଯିବ ।

ସେହିପରି ଟେଲି ଫିଲିପ୍ସ ଅନୁସାରେ, ଯଦି ଏହି ଦାଗରୁ ସୌର ଝଡ଼ ସୃଷ୍ଟି ହୁଏ ତାହେଲେ ଏହା ମଧ୍ୟମ ଧରଣର ହେବ । ଏବେ ସୂର୍ଯ୍ୟ ସକ୍ରିୟ ଥିବାବେଳେ ଜିଓମାଗ୍ନେଟିକ୍ ଝଡ଼ ଆସୁଛି । ଯାହାକୁ ବୈଜ୍ଞାନିକ ଭାଷାରେ ଏମ୍ ଓ ୱାଇ ଫ୍ଲୟର୍ସ କୁହାଯାଉଛି । ସୂର୍ଯ୍ୟରେ ଏଭଳି ସ୍ଥିତି ଆଗାମୀ ୮ ବର୍ଷ ଯାଏ ଲାଗି ରହିବ । ଆଉ ଏହା ଫଳରେ ଆଗାମୀ ବର୍ଷରେ ଆସିବ ଅଧିକ ସୌର ଝଡ଼ ।

ତେବେ ସୂର୍ଯ୍ୟରେ ଦାଗ ସୃଷ୍ଟି ହେଲେ କ’ଣ ହୁଏ ? ବୈଜ୍ଞାନିକଙ୍କ ଅନୁସାରେ, ସୂର୍ଯ୍ୟରେ ସୃଷ୍ଟି ଦାଗରୁ କୋରୋନାଲ ମାସ୍ ଇଞ୍ଜେକ୍ସନ ହୋଇଥାଏ । ଅର୍ଥାତ୍ ସୂର୍ଯ୍ୟ ପୃଷ୍ଠରେ ଏକ ପ୍ରକାର ବିସ୍ଫୋରଣ ହୁଏ । ଯାହା ଫଳରେ ଅନ୍ତରୀକ୍ଷରେ ଏକ ଅରବ ଟନର ଚାର୍ଜ ହୋଇଥିବା କଣିକା ଘଣ୍ଟା ପ୍ରତି ଲକ୍ଷ ଲକ୍ଷ କିଲୋମିଟର ବେଗରେ ଗତି କରିଥାନ୍ତି । ଆଉ ଯେତେବେଳେ ଏହି କଣିକା ସବୁ ପୃଥିବୀରେ ସାଟେଲାଇଟ୍ ନେଟୱର୍କ, ସାଟେଲାଇଟ୍ ଟିଭି ସହ ମାଡ଼ ହୁଅନ୍ତି ତ ଯୋଗାଯୋଗ ଛିନ୍ନ ହୋଇଯାଏ ।

ଯେତେବେଳେ ସୂର୍ଯ୍ୟଙ୍କ ଗୋଟିଏ ପ୍ରାନ୍ତ ତୁଳନାରେ ଗରମ କମ୍ ହୁଏ ତ ସେଠି ଦାଗ ସୃଷ୍ଟି ହୋଇଥାଏ । ଏହା ଛୋଟ ବଡ଼ ହୋଇ କଳା ଓ ବାଦାମୀ ରଙ୍ଗର ହୋଇଥାଏ । ଆଉ ଏହି ଦାଗ କିଛି ଘଣ୍ଟା ଅବା କିଛି ସପ୍ତାହ ଧରି ଦେଖାଯାଏ । ସୂର୍ଯ୍ୟରେ ଦେଖା ଯାଉଥିବା ଏହି ଅଧିକ କଳା ଦାଗକୁ ଅମ୍ବ୍ରା କୁହାଯାଉଥିବା ବେଳେ ବାହାର ଅଂଶକୁ ପେନ୍ ଅମ୍ବ୍ରା କୁହାଯାଏ । ତେବେ ଏବେ ସୂର୍ଯ୍ୟରେ ସୃଷ୍ଟି ଦାଗ ପରେ କେବେ ସୌର ଝଡ଼ ଆସିବ ସେନେଇ ବୈଜ୍ଞାନିକ କିଛି ସ୍ପଷ୍ଟ କରିନାହାନ୍ତି ।

Leave A Reply

Your email address will not be published.