ଭୁବନେଶ୍ୱର: କାଳ ମାସ ଅକ୍ଟୋବର । ଏହି ସମୟରେ ହିଁ ଓଡିଶା ହୋଇଥିଲା ଛାରକାର । କାହାରି ମୁହଁରେ ହସ ନଥିଲା । କାହିଁକି ନା ଏହି ଅକ୍ଟୋବରରେ ଓଡିଶାରେ ହୋଇଥିଲା ମହାପ୍ରଳୟ । ସେହି ମହାବାତ୍ୟା ଦେଖିଥିବା ଲୋକେ ପୁଣି ବାତ୍ୟା ନାଁ ଶୁଣିଲେ ଚମକି ପଡନ୍ତି । ଟିଭି ରିମୋର୍ଟରୁ ହାତ ହଟେନି, ମୋବାଇଲ ଉପରୁ ଆଖିର ପଲକ ଖସେନି । ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟାର ମହାପ୍ରଳୟରେ ଛାରକାର ହୋଇଯାଇଥିଲା ଜଗତସିଂହପୁର ଓ କେନ୍ଦ୍ରାପଡା । ସୁସୁ ପବନ ସାଙ୍ଗକୁ ସମୁଦ୍ରର ଭୟଙ୍କର ଗର୍ଜନ ଥରି ଉଠିଥିଲା ସମଗ୍ର ଅଞ୍ଚଳ । ପ୍ରବଳ ପବନ ସାଙ୍ଗକୁ ଅବିଶ୍ରାନ୍ତ ବର୍ଷାର ତାଣ୍ଡବରେ ଲିଭିଯାଇଥିଲା ହସର ଦୀପ ।
ସେଦିନର ସେ କାଳ ରାତ୍ରୀରେ କେତେ ସଂସାର ଉଡୁଡିଗଲା, କେତେ ନାରୀଙ୍କ ସିନ୍ଥିରୁ ସିନ୍ଦୂର ଲିଭିଗଲା ସେକଥା ନକହିବା ଭଲ । ଗରିବର କୋଳ ଭିତରେ ଆଖିର ପଲକ ଉଠାଇ ବିକାଶର ସ୍ୱପ୍ନ ଦେଖୁଥିବା ଓଡିଶାକୁ ମହାବାତ୍ୟା ଦେଇଥିଲା ବଡ ଝଟକା । କୁହନ୍ତି ଦିନ ଯାଏ, ହେଲେ ଚିହ୍ନ ନୁହେଁ, ସେଦିନର ସେ ମହାବାତ୍ୟାର ଚିହ୍ନ ଆଜି ବି ରହିଛି । ଏବେବି ଅନେକ ଲୋକ ଅଛନ୍ତି ମହାବାତ୍ୟାର ଦାରୁଣ ଦୁଃଖରୁ ବାହାରି ପାରିନାହାଁନ୍ତି । କିଏ ସ୍ୱାମୀକୁ ହରାଇଥିଲା ତ ଆଉ କିଏ ପୁଅକୁ ହରାଇ ଏବେ ବି ଲୁଚି ଲୁଚି କାନ୍ଦୁଛି । ଏକବିଂଶ ଶତାଦ୍ଦୀକୁ ଛୁଇଁବାର ସ୍ୱପ୍ନ ଦେଖୁଥିବା ଓଡିଶାକୁ ହଠାତ ମହାବାତ୍ୟା ଛାରକାର କରିଦେଇଥିଲା ।
ଆଜି କାଲିକା ଦୁନିଆ ପରି ସେତେବେଳେ ଟିଭି କି ମୋବାଇଲ ନଥିଲା । ଲୋକଙ୍କ ପାଖରେ ଖବର ପହଞ୍ଚିବା ପାଇଁ ଏକମାତ୍ର ଉପାୟ ଥିଲା ରେଡିଓ । ବାତ୍ୟା ସମ୍ପର୍କରେ ରେଡିଓରେ ଖବର ଆସିଥିଲା । ହେଲେ ସେତେବେଳେ ଟେକ୍ନୋଲୋଜି ଅତ୍ୟାଧୁନିକ ନଥିଲା । ଖାଲି ପବନ ଓ ବର୍ଷା ହେବ ବୋଲି କୁହାଯାଇଥିଲା । ମୋଟାମୋଟିଭାବେ କହିବାକୁ ଗଲେ ବାତ୍ୟା ମୁକାବିଲା କରିବାକୁ ଓଡିଶା ଲୋକେ ପ୍ରସ୍ତୁତ ନଥିଲେ । ଆଉ ମହାବାତ୍ୟା ତାଣ୍ଡବ ରଚିବା ପରେ ଭାଙ୍ଗି ଯାଇଥିଲା ଓଡିଶାର ମେରୁଦଣ୍ଡ । ୨ଶହରୁ ଅଧିକ ବେଗରେ ପବନ ବୋହୁଥିଲା । ଆଖି ଆଗରେ ଗଛ ଭାଙ୍ଗି ଯାଇ ପବନରେ ଉଡୁଥିଲା । ଚାଳ ଘର ନିଜର ଅସ୍ତିତ୍ଵୱ ହରାଇ ଅନ୍ୟ ସ୍ଥାନରେ ନିଜର ଜାଗା ଖୋଜୁଥିଲା ।
ଜଗତସିଂହପୁର ଓ କେନ୍ଦ୍ରାପଡାରେ ବାତ୍ୟା ତାଣ୍ଡବ ଛାରଖାର କରିଦେଇଥିଲା । ମାଟିଘର ମାଟିରେ ଲୋଟିଥିଲା, ଗଛ ଭାଙ୍ଗି ଯାଇ ରାସ୍ତାରେ ଶୋଇଥିଲା । ଏହାରି ମଧ୍ୟରେ ବନ୍ୟାପାଣିରେ ଭାସି ଆସିଥିଲା ଅନେକ ଶବ । ସେହି ପଚା ଶବ ଦେଖିବା ପରେ ବଂଚିଥିବା ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଥିଲା । ସରକାରୀ ରିପୋର୍ଟ ଅନୁସାରେ ୧୦ ହଜାରରୁ ଅଧିକ ଲୋକ ମୃତାହତ ହୋଇଥିଲେ । ହେଲେ ଏହି ସଂଖ୍ୟା ତା ଠାରୁ ବି ବହୁତ ଅଧିକ ଥିଲା । ଅନେକ ପରିବାର ପୁରା ମାଟିରେ ମିଶିଯାଇଥିଲେ । ମାଟିରେ ପୋତି ହୋଇ ଅନେକ ଲୋକ ସେମିତି ରହିଗଲେ । ସେତେବେଳର ସେହି ବହିପୃଷ୍ଠା ଯିଏ ବି ଓଲଟାଉଛି ତା ଆଖିରେ କେବଳ ଲୁହ ହିଁ ଆସୁଛି ।
Comments are closed.