ମୁଁ ଗାଁକୁ ଯାଇଥାଏ ଦୂର୍ଗାପୂଜାରେ । ୧୯୯୯ ମସିହା।ରେଡ଼ିଓରେ ଖବର ଆସିଲା ବ୍ରହ୍ମପୁର ଓ ଆନ୍ଧ୍ର ଆଡ଼କୁ ଖୁବ ଜୋରରେ ବାତ୍ୟା ଆସୁଛି । ଆମ ଗାଁରେ ଭୀଷଣ ବର୍ଷା ହେଲା। ନବମୀ ଭୋଜି ବି ଠିକ ଭାବେ ହୋଇ ପାରିଲାନି । ପଚରା କାଦୁଅ ଭିତରେ ଭସାଣୀ ସରିଲା। ଦଶରା ଭାସିଗଲା।
କେଇ ଦିନ ପରେ ମୁଁ ରେଭେନ୍ସା କଲେଜ ପଳେଇ ଆସିଲି । ପିଜି ଫିଫଥ ଇଅର ପଢୁଥାଏ। ବୁଧବାର ସଂଜ । ନ୍ୟୁ ପିଜି ହଷ୍ଟେଲ ଆଗରେ ବସି ଝାପସା ନିଅନ ଆଲୁଅରେ ଗପୁଥାଏ ଦୀପୁ ସାଙ୍ଗେ କିଏ ଜଣେ ଆସି କହିଲା- ଆଉ ଗୋଟେ ବାତ୍ୟା ଆସୁଛି । ମୁଁ ମୁହଁ ମୋଡ଼ିଦେଲି ।
-ବାତ୍ୟା ନା ଛେନାଗୁଡ଼ !
କଲେଜ ଛକରୁ ଖାଇ ଫେରିଲା ବେଳକୁ ବର୍ଷା ହେଲା । ଅସରାଏ ଜୋର ବର୍ଷା । କିନ୍ତୁ କଲେଜ ଛକରେ ଗହଳି ସେମିତି ଥାଏ । ମୁଁ ରିକ୍ସାରେ ହଷ୍ଟେଲ ଚାଲି ଆସିଲି । ତା ପରଦିନ ଟିକେ ପବନ ବଢିଲା । ସଂଜକୁ ସମସ୍ତେ କହିଲେ- ଜୋର ବାତ୍ୟା ହୋଇପାରେ । ସେଇଠୁ ମୋ ଡିଏସ୍ଓ ସାଙ୍ଗମାନଙ୍କ ପାଖକୁ ମୁଁ ନ୍ୟୁ ହଷ୍ଟେଲ୍ ପଳେଇଲି । ଶୁକ୍ରବାର ଦିନ ସାରା ଝରକା ଖୋଲି ହୋଇନି କି ବାହାରକୁ ଟଏଲେଟ୍ ଯିବା ବି ମୁସ୍କିଲ ଥିଲା । ଗଣେଷ ରୁମରେ ଆମେ ଆଠ ଜଣ ଯୋଡ଼ାଏ ଖଟ ଯୋଡ଼ି କରି ଶୋଇଥିଲୁ । ପାଖରେ ଥିଲା କିଲେ ଚୂଡ଼ା । ବାସ୍…ସେତିକି ।
କିଏ କହୁଥାଏ- କଟକ ରେଡ଼ିଓ ଷ୍ଟେସନ ଭାଙ୍ଗିଗଲା । କିଏ କହୁଥାଏ କାଠଯୋଡ଼ି ପାଣି କଟକରେ ପଶି ଗଲାଣି । ଯଦିଓ କେହି ବାହାରକୁ ଯିବା ଅବସ୍ଥାରେ ହିଁ ନଥିଲେ ।
ରାତିରେ ମୁଁ ସେମିତି ଶୋଇ ପଡ଼ିଛି । ହୋସ୍ ନାଇଁ । ସକାଳୁ ୭ଟା ପାଖାପାଖି ବେଳକୁ ଉଠିଲି । ଭୋକ ଲାଗୁଥାଏ । ହାଫପେଂଟଟେ ପିନ୍ଧି ବାହାରିଲି ରେଭେନ୍ସା କଲେଜ ଛକ । ନ୍ୟୁ ହଷ୍ଟେଲ ବାହାରକୁ ଆସିଲା ବେଳକୁ ଅଂଟାଏ ପାଖାପାଖି ପାଣି । କଲେଜକୂ ସବୁଦିନେ ସବୁଜ ଓ ସୁନ୍ଦର କରିଥିବା ଶହ ଶହ ଗଛ ଶୋଇ ପଡ଼ିଥାଏ । କାହାର କାହାର ଅସ୍ତିତ୍ୱ ବି ନଥାଏ । ଇଂରାଜୀ ବିଭାଗ ଆଗରେ ଶହ ଶହ ବର୍ଷ ପୁରୁଣା ଦେବଦାରୁ ଗଛର ଗୋଟେ ଲମ୍ବା ବଣ ଥିଲା । ସୈନିକଙ୍କ ପରି ଧାଡ଼ି ହୋଇ ସେମାନେ କୋଉ ଯୁଗରୁ ଠିଆ ହୋଇଥିଲେ । କେହି ନଥିଲେ । ପରାସ୍ତ ମୁଦ୍ରାରେ ଶୋଇ ଯାଇଥିଲେ ସମସ୍ତେ ।
କଲେଜ ଛକ ଆସିଲି କିଛି କିଣିବି ବୋଲି । ଟାଇଗର ବିସ୍କୁଟ ପକେଟ ୧୦ ଟଙ୍କା । ଚୂଡ଼ା କିଲୋକୁ ୨୦ । ଦି କିଲୋ ଚୂଡ଼ା ଓ ଦଶ ପକେଟ ଟାଇଗର ବିସ୍କୁଟ ନେଇ ହଷ୍ଟେଲକୁ ଫେରିଲି । ଦିନ ଏଗାରଟା ବେଳକୁ ଭାବିଲି ଯାଜପୁର ଯିବି । ବାତ୍ୟା ଯେ ଭୟାନକ ଓ ଦାରୁଣ ହୋଇପାରେ ସେ କଥା ମୋ ମନକୁ ଆସି ନଥିଲା ।
ଓଏମପି ଛକରେ ଆସି ଦିନ ଏଗାରଟାରୁ ଚାରିଟା ପର୍ଯ୍ୟନ୍ତ ଛିଡ଼ା ହେଲି । ଅଳ୍ପ କିଛି ଟ୍ରକ ଆସ୍ତେ ଆସ୍ତେ ଯାଉଥିଲେ । ସେମାନଙ୍କୁ ହାତ ଦେଖାଇଲି । କେହି ନେଲେନି । ଫେରି ଆସିଲି ହଷ୍ଟେଲ ସଂଜକୁ ।
ପୁଣି ସକାଳୁ ଯାଜପୁର ବାହାରିଲି । ଓଏମପିରୁ ଚାଲି ଚାଲି ବାଦାମବାଡ଼ି ଆସିଲି । ବାଦାମବାଡ଼ିରେ ବେକେ ପାଣି । ହଜାର ହଜାର ଲୋକ ସେଇଠି ରୁଣ୍ଡ ହୋଇ ଥାଆନ୍ତି । ନା ବସ୍, ନା ଆଉ କିଛି । କିଏ ଗୋଟେ ଷ୍ଟୋଭ ଲଗେଇ ପକୁଡ଼ି ଛାଣୁଥିଲା, ତା ପାଖେ ଦେଢ ଶହରୁ ଅଧିକ ଲୋକ ଜମା ହୋଇଥିଲେ । ମୁଁ କିଛି ଟାଇଗର ବିସ୍କୁଟ ପୁଣି କିଣିଲି । ଚାଲି ଚାଲି ପ୍ରେସ୍ ଛକ ଆସିଲି । ଦିନ ଦିଇଟା ବେଳକୁ ଗୋଟେ ଟ୍ରକବାଲା ମତେ ସାଙ୍ଗରେ ନେଲା । କିନ୍ତୁ ସେଇ ଟ୍ରକ ମଙ୍ଗୁଳିରେ ପହଁଚିଲା ବେଳକୁ ସଂଜ ଛଅଟା । ମୁଁ ଭାବୁଥାଏ- ଏ ଗାଡ଼ି ଚାଲୁନି କାହିଁକି ? ସାରାରାସ୍ତା ଯେ ଗଛ ଭାଙ୍ଗି ପଡ଼ିଛି, ମୁଁ ବା ଜାଣିବି କୁଆଡ଼ୁ ?
ମଙ୍ଗୁଳି ଛକରେ ସଂଜକୁ ଗୋଟେ ବସ୍ ଆସିଲା । ସମ୍ବଲପୁରରୁ ବାଲେଶ୍ୱର ବସ । ସେଥିରେ ଲୋକେ ଉପର ତଳ ହୋଇ ଦୁଇ ଶହ ପାଖାପାଖି ଖୁନ୍ଦି ହୋଇଗଲେ । ମୁଁ ବି ଚଢିଗଲି । ବସ୍ ବହୁତ କଷ୍ଟରେ ଟାଙ୍ଗୀ ପାଖରେ ରହିଗଲା । ଆଉ ଯାଇ ପାରିଲାନି । ରାସ୍ତା ନଥିଲା । ଭଙ୍ଗା ଗଛରେ ଭରପୁର ଥିଲା ରାସ୍ତା ।
ଭାବିଲି କଣ କରିବି ? ଦେଖିଲି ଲୋକେ ଚାଲିଛନ୍ତି । ଜଣକୁ ପଚାରିଲି- କୁଆଡ଼େ ଯିବେ ? ସେ କହିଲେ ଭଦ୍ରକ । ପୁଣି ଭାବିଲି ଯଦି ଭଦ୍ରକକୁ ଲୋକେ ଚାଲି ଯିବାକୁ ବାହାରିଲେଣି, ମୁଁ କଣ ଯାଜପୁର ଯାଇ ପାରିବିନି । ଚାଲିଲି । ଶହ ଶହ ଲୋକ ଚାଲୁ ଥାଆନ୍ତି । ରାସ୍ତାକଡ଼ରେ ଶହ ଶହ ଟ୍ରକ ଧାଡ଼ି ହୋଇ ଛିଡ଼ା ହୋଇଥାଏ । ସେତେବେଳେ ଜାତୀୟ ରାଜପଥ ଚାରି ଲେନ୍ ହୋଇ ନଥିଲା । ବାଟରେ ବର୍ଷା ହେଲେ ଟ୍ରକ ତଳେ ପଶି ଯାଉଥାଉ । ଗୋଟେ ଗାମୁଛା ଥିଲା ମୋ ପାଖେ । ମୁଣ୍ଡରେ ବାନ୍ଧି ଦେଲି । ଟ୍ରକରୁ ଆଖପାଖ ଗାଁ ଲୋକେ ମନଇଚ୍ଛା ଲୁଟ କରୁ ଥାଆନ୍ତି । ତେଣୁ ବାଡ଼ି ଧରି, ଟାୟାର ଜାଳି ଟ୍ରକ ଡ୍ରାଇଭରମାନେ ଟ୍ରକ ଜଗି ଥାଆନ୍ତି । ବର୍ଷାରେ ଶୀତ ଲାଗିଲେ ସେଇ ଟାୟାର ନିଆଁରେ ସେକି ହେଉଥାଏ ମୁଁ ।
ସକାଳ ସାତଟା ବେଳକୁ ପାଣିକୋଇଲିରେ ପହଁଚି ଗଲି । ସେଠି ହଜାର ହଜାର ଲୋକ । ମୁଁ ସମସ୍ତଙ୍କୁ ପଚାରୁ ଥାଏ- ଯାଜପୁରକୁ ରାସ୍ତା ଅଛି ନା ବୁଡ଼ି ଯାଇଛି ? କେହି କିଛି କହି ପାରୁ ନଥାଆନ୍ତି । ଅଲଗା ଅଲଗା କଥା କହୁ ଥାଆନ୍ତି । ଷଠୀପୁରରେ ପହଁଚିଲା ବେଳକୁ ଜାତୀୟ ରାଜପଥରେ ପେଟେ ପାଣି । କଳା, ମାଟିଆ ସାପ ଖାଲି ରାସ୍ତାରେ ଭାସି ଯାଉ ଥାଆନ୍ତି । ଯାଜପୁର ରାସ୍ତା ମାଟିଆ ପାଣି ଭିତରେ ଲୀନ ହୋଇ ସାରିଥାଏ । କରିବି କଣ ସେଇଠୁ ?
କିଛି ଲୋକ କହିଲେ ଆଖୁଆପଦା ଦେଇ ନଦୀବନ୍ଧରେ ବୁଲି ଯିବା । ସିଏ ଆଉରି ୧୫ କିଲୋମିଟର ବୁଲାଣି । ପୁଣି ଚାଲିଲୁ। ସେ ନଦୀ ବନ୍ଧରେ କାଦୁଅ ଓ ମଣିଷଙ୍କ ହାଉଯାଉ । ରୁଢିଆ ପୋଲ ପରେ କଲେଜ ପୋଷ୍ଟ ଅଫିସ ଡାକ ପିଅନ ନୃସିଂହ ଭାଇ ଦେଖା ହେଲା । ଜୋରରେ କାନ୍ଦୁଥାଏ । ତା ହାତରେ ଗୋଟେ କଂଟା ଫୁଟିଥାଏ । ଲୁହା କଂଟା । କାଢିବ କୋଉଠି ବୋଲି ବାଇଆ ହେଉଥାଏ । ଦି ଦିନ ଧରି ଖାଇ ନଥାଏ ସେ । ମୁଁ ଦି ପକେଟ ଟାଇଗର ବିସ୍କୁଟ ଦେଲି ତାକୁ । ପଚାରିଲି
– ଯାଜପୁର ଯାଇ ହେବନା ?
– ନା । ଦି ଜାଗା ବୈତରଣୀ ଘାଇ ଭାଙ୍ଗିଛି । କହୁଛନ୍ତି ମକେଇପୁର ପାଖରେ ବିରାଟ ଘାଇ ହୋଇଛି । ମେନ ରାସ୍ତା ବନ୍ଦ ।
– ଯିବି କିମିତି ?
– କିମିତି ଯିବୁ ତୁ ? ଗୋଟେ କାମ କର ସେ ସ୍କୁଲ ପାଖରୁ ବୁଢା ବନ୍ଧରେ ଯାଆ । ସିଧା ଗୋଖନାରେ ଉଠିବୁ ।
– କେତେ ବାଟ ଏ ରାସ୍ତା ?
– ତଥାପି ୨୫ କିଲୋମିଟର ଉପରେ ହେବ ।
ଆଉ ପ୍ରଶ୍ନ ପଚାରିବାକୁ ଚାହିଁଲିନି । ଚାଲିବା ଛଡ଼ା ଆଉ ରାସ୍ତା ଯେ ନଥିଲା । ସେ ନଦୀ ବନ୍ଧରେ ମଣିଷମାନେ ପଲାମାରି ରହି ଥାଆନ୍ତି । ବୈତରଣୀ ନଦୀ ବନ୍ଧ ଭାଙ୍ଗି ସେମାନଙ୍କ ଗାଁରେ ପଶି ଯାଇଥାଏ । ଲୋକେ କଂଚା ଅଟା ଖାଉ ଥାଆନ୍ତି । ଛେଳି, ଗାଇଗୋରୁ, ମଣିଷ ଗୋଟେ ପଲା ତଳେ ।
ମୋ ଚାଲିବା ସରୁ ନଥାଏ । ଆହୁରି ଲୋକେ ବି ଚାଲୁ ଥାଆନ୍ତି । ଦିନ ଦିଇଟା କି ତିନିଟା ବାଜିଲା ବେଳକୁ ବାଟରେ ଦୀନା ଭାଇ ଦେଖା ହେଲା । ସେ କଟକ ଯାଉଥିଲା ସେ ରାସ୍ତାରେ । ଘରୁ ମୋ ପାଇଁ ବାପା, ବୋଉ ଲେଖିଥିବା ଚିଠି ଓ ତିନି ଶ’ ଟଙ୍କା ମତେ ଦେଲା। ମତେ କହିଲା- ଏଇ ବାଟେ ପଳା । ଆଙ୍କୁଲାରେ ସିଧା ଉଠିବୁ।
ଯେମିତି ନଦୀ ବଂଧରୁ ମୁଁ ଗଡ଼ିଛି ପୁଣି ବେକେ ପାଣି । ଖାଲି ବୋଡ଼ା ସାପ । ପାଣି ଭିତରେ ସାପ ଆସି ଦେହରେ ବାଡ଼େଇ ହେଉ ଥାଆନ୍ତି । ଅମରି (କଳମ) ବାଡ଼ି ଗୋଟେ ଧରି ମୁଁ ସେ ପାଣିରେ ପଶି ଆଙ୍କୁଲାରେ ପହଁଚିଲି । ଚେକଗେଟରେ ପହଁଚିଲା ବେଳକୁ ଯାଜପୁରର କିଛି ଲୋକ ମତେ ଘେରିଗଲେ।
– କଉଠୁ ଆଇଲ ?
– କଟକରୁ ।
– କଣ ଅବସ୍ଥା ସେଠିକାର ?
– ଏମିତି । ଏଠି ଯେମିତି । ଭଲ ନୁହେଁ ।
ଚାଲି ଚାଲି ଆସି କଲେଜ ଛକ ଇଲେକ୍ଟ୍ରି ସବ ଷ୍ଟେସନ ପାଖରେ ପହଁଚିଲା ବେଳକୁ ପୁଣି ମୋ ହୋସ୍ ଉଡ଼ିଗଲା । ସେଠି ସତେ ଯେମିତି ଗୋଟେ ସମୁଦ୍ର । ଭୀଷଣ ଜୁଆର । ପାର ହେବାକୁ ମତେ ଡର ଲାଗିଲା । ରାସ୍ତାକଡ଼ରେ ପାଢୀ ମଉସାଙ୍କ ଘର ଛାତ ଉପରେ ମୁଁ ଶୋଇ ପଡ଼ିଲି ।
ପରେ ମୋ ସାଙ୍ଗ ଟିକ ଆସି ଗୋଟେ ଲମ୍ବା ବିଜୁଳି ତାର ବାନ୍ଧି ତାକୁ ଧରି ଆସ୍ତେ ଆସ୍ତେ ମତେ ପାର କଲା । କଲେଜ କଲୋନୀ ଘରେ ପହଁଚିଲା ବେଳକୁ ରାତି ସାତ ।
କଲୋନୀରେ ଅଧା ଘରେ ପାଣି ପଶିଥାଏ । ଲେଡ଼ିଜ ହଷ୍ଟେଲ ଭିତରେ ପାଣି ପଶିଥାଏ । ବୈତରଣୀ ପାଣି । ଚାଳିଶରୁ ଅଧିକ ଝିଅ ହଷ୍ଟେଲରେ ଥିଲେ । ସେମାନେ କଲୋନୀରେ ଆମ ୧୭ଟି ପରିବାରରେ ରହୁ ଥାଆନ୍ତି ।
ରାତିରେ ମୁଁ ବାସ୍ ଶୋଇ ଯାଇଛି । କିଛି ହୋସ୍ ନାହିଁ । କିଛି ସ୍ୱପ୍ନ ନାହିଁ ।
ସକାଳୁ ଦେଖିଲି ବିଭୀଷିକାର ଗୋଟେ ଭୟାନକ ଇଲାକା ଭିତରେ ଆମେ ଅଛୁ । ତଳ ଘରେ ପାଣି । ଅବଶ୍ୟ ଆମ କ୍ୱାର୍ଟରଟି ଉପର ଘର ଥାଏ । ପିଇବା ପଣି ନାହିଁ । ଖାଇବାକୁ ନାହିଁ ।
ଚାରିଆଡ଼େ ମାଟିଆ ପାଣିର ବହଳିଆ ଆସ୍ତରଣ ।
ଦଶ ପନ୍ଦର ଦିନ ଖାଲି କଦଳୀ ଭଜା ଓ ମଂଜା ତରକାରୀ ଓ ଭାତ । ଆଉ କଣ ଥିଲା ଯେ ? କଣ ମିଳୁଥିଲା ଯେ ? ଶିଶୁ ମନ୍ଦିରର ସାରମାନେ ଆଣି ପିଇବା ପାଣି ଦେଉଥିଲେ ।
ମନେ ଅଛି- ସେଇ ସମୟରେ ଆମ ଗାଁ ପୁରୋହିତ ବାବାଜୀ କକା ହାଓଡ଼ାରୁ ରେଳ ଲାଇନ କଡ଼େ ଚାଲି ଚାଲି ଆସି ଯାଜପୁରରେ ପହଁଚି ଯାଇଥିଲେ । ପିପିନ ପରେ ସାଇକେଲରେ ଆସିଥିଲା କଟକରୁ ।
କେଇ ବର୍ଷ ଏମିତିରେ ବିତିଗଲା । ମୋ ଭାଗ୍ୟକୁ ସାମ୍ବାଦିକ ହେବାର ବର୍ଷକ ପରେ ମତେ ଜଗତସିଂହପୁର ଜିଲ୍ଲା ପ୍ରତିନିଧି କରି ପଠାଇ ଦିଆଗଲା । ଯୋଉଦିନ ମୁଁ ସେଠି ଯୋଗ ଦେଲି ଠିକ ପରଦିନ ଏରସମା ଯାଇଥିଲି । ଅନେକ ରିପୋର୍ଟ ସେଠୁ କରିଛି । ପାତୁଆ ପରି ଏକଦମ ଭିତର ଗାଁରେ ଦିନ ଦିନ ଧରି ରହିଛି । ଦେଖିଛି ମହାବାତ୍ୟା ଭୁବନେଶ୍ୱରରେ ହୋଇଥିଲା । କାଗଜ କଲମରେ ।
ସେମାନେ ତ ସର୍ବସ୍ୱ ହରେଇ ଥିଲେ । ଆତ୍ମା ଭାସି ଯାଇଥିଲା ସେମାନଙ୍କର। ମନ ଜୁଆରରେ ବୁଡି ମରି ସାରିଥିଲା।ବାତ୍ୟା ତ ତାଙ୍କ ପାଇଁ ଛୋଟ ଶବ୍ଦଟେ ଥିଲା ।
Comments are closed.