Latest Odisha News

BREAKING NEWS

ସୁପ୍ରିମ କୋର୍ଟଙ୍କ ବଡ ରାୟ: ଏଣିକି କୋଟା ଭିତରେ ମିଳିବ କୋଟା

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପର୍କରେ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ହୋଇପାରିବ ଉପବର୍ଗ ବା ସବ୍‌-କ୍ୟାଟେଗୋରୀ। ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ଆଜି ସୁପ୍ରିମକୋର୍ଟ ଏଭଳି କିଛି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତ କହିଛନ୍ତି ଯେ, ସଂରକ୍ଷଣ ଭିତରେ ସଂରକ୍ଷଣ କୌଣସି ପ୍ରକାର ଅସମାନତା ନୁହେଁ ।

ସୁପ୍ରିମକୋର୍ଟଙ୍କ ସାତ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ସବ୍ କ୍ୟାଟେଗୋରୀ କରିପାରିବେ । ଯେଉଁଥିରେ କି ମୂଳ ତଥା ଆବଶ୍ୟକ କରୁଥିବା ଲୋକମାନେ ଉପକୃତ ହେଇପାରିବେ । ସୁପ୍ରିମକୋର୍ଟ କହିଛନ୍ତି ଯେ, କୋଟା ଭିତରେ କୋଟାକୁ ନେଇ ରାଜ୍ୟ ମନମୁତାବକ କାମ କରିପାରିବେ ନାହିଁ । ଏହାକୁ ନେଇ ରାଜ୍ୟର ପ୍ରତିଟି ଗତିବିଧି ନ୍ୟାୟିକ ସମୀକ୍ଷା ଅଧୀନରେ ରହିବ । ଏହାସହ କୋର୍ଟ ୨୦୦୪ ଇବି ଚୈନ୍ନୟା ମାମଲାରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଦେଇଥିବା ରାୟକୁ ପରିବର୍ତ୍ତନ କରିଛନ୍ତି ।

ସୂଚନା ଅନୁସାରେ, ପଞ୍ଜାବରେ ବାଲ୍ମିକୀ ଏବଂ ମଜହବୀ ଶିଖ ଜାତିର ଅନୁସୂଚିତ ଜାତି ସଂରକ୍ଷଣର ଅଧା ଅଂଶ ପ୍ରଦାନ କରିବାର ଆଇନ ହାଇକୋର୍ଟ ଦ୍ୱାରା ୨୦୧୦ରେ ରଦ୍ଦ କରାଯାଇଥିଲା।ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଗୁରୁବାର ଏହି ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସଂରକ୍ଷଣ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏସସି/ଏସଟି ବର୍ଗରେ ଅନେକ ଜାତି ଅଛନ୍ତି, ଯେଉଁମାନେ ବହୁତ ପଛୁଆ। ଏହି ଜାତିର ସଶକ୍ତିକରଣ ପାଇଁ ଅତ୍ୟଧିକ ଆବଶ୍ୟକତା ଅଛି । ଅଧିକ ସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ଜାତିର ଉପସ୍ଥିତି ଉପରେ ଏହାକୁ ଆଧାର କରିବା ଭୁଲ ହେବ ବୋଲି ଆଜି ଶୁଣାଣି ବେଳେ କହିଛନ୍ତି ସୁପ୍ରିମ କୋର୍ଟ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁସୂଚିତ ଜାତି ବର୍ଗ ସମାନ ନୁହେଁ। କେତେକ ଜାତି ଅଧିକ ପଛୁଆ। ସେମାନଙ୍କୁ ଏକ ସୁଯୋଗ ଦେବା ଠିକ। ସେମାନଙ୍କୁ ମଧ୍ୟ ସଂରକ୍ଷଣ ଲାଭ ମିଳିବା ଉଚିତ ।

Comments are closed.