Latest Odisha News

BREAKING NEWS

ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲା: ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ। ଓଡିଶାରେ ବେଆଇନ ଖଣି କ୍ଷତିପୂରଣ ରାଶି ଅସୁଲ କରିବାରେ ପ୍ରତିବନ୍ଧକ ସାଜିଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା କରିବା ପାଇଁ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ବେଆଇନ ଖଣି କାର୍ଯ୍ୟକଳାପରୁ ୨୭୦୦ କୋଟି ଟଙ୍କାର କ୍ଷତିପୂରଣ ରାଶି ଆଦାୟ ହୋଇପାରିନାହିଁ। ୨୦୨୬ ମାର୍ଚ୍ଚ ୩ ସୁଦ୍ଧା ସବୁ ମାମଲାର ଫଇସଲା କରିବା ପା‌ଇଁ ଉଦ୍ୟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଯଦି ଫଇସଲା ସମ୍ଭବ ହେଉନାହିଁ, ତେବେ ଅନ୍ତରୀଣ ସ୍ଥଗିତାଦେଶ ହଟାଇବା ଲାଗି ରାଜ୍ୟ କରିଥିବା ଆବେଦନ ଉପ‌ରେ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଥିବା ସୁପ୍ରିମକୋର୍ଟ କହିଛନ୍ତି ବେଆଇନ ଖଣି କାର୍ଯ୍ୟକଳାପରୁ କ୍ଷତିପୂରଣ ରାଶି ଆଦାୟ ହୋଇପାରିନଥିବାରୁ ଏକ ମାମଲା ଦାଖଲ ହୋଇଥିଲା। ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଦୀପଙ୍କର ଦତ୍ତା ଓ ଏଜି ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ଷତିପୂରଣ ରାଶି ସଂଗ୍ରହ କରାଯାଇପାରୁନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି।

କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଖିଲାପୀ ଖଣି ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ରାଶି ଆଦାୟ କରିବାକୁ ୨୦୧୭ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା‌‌ର ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଚଳିତ ବର୍ଷ ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ। ଏତେ ପରିମାଣର କ୍ଷତିପୂରଣ ରାଶି ସରକାର ଅସୁଲ କରିପାରୁନଥିବାରୁ କୋର୍ଟ ଚିନ୍ତା ପ୍ରକଟ କରିଥିଲେ। ୨୦୨୬ ମାର୍ଚ୍ଚ ସୁଦ୍ଧା ସବୁ ମାମଲାର ଫଇସଲା କରିବା ଲାଗି ଏକ ଉତ୍ସର୍ଗୀକୃତ ଖଣ୍ଡପୀଠ ଗଠନ କରିବାକୁ କୋର୍ଟଙ୍କୁ କୁହାଯାଇଛି। ଆବଶ୍ୟକ ଜଙ୍ଗଲ ଓ ପରିବେଶ ମଞ୍ଜୁରି ନ ନେଇ ବେଆଇନ ଭାବେ ଅଧିକ ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନ କରିଥିବା ଖଣି ଲିଜଧାରୀଙ୍କଠାରୁ କ୍ଷତିପୂରଣ ଆଦାୟ କରିବାକୁ ୨୦୧୭ରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କହିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟରୁ ୧୭,୫୦୦ କୋଟି ଟଙ୍କାରୁ ଅଧିକ ବେଆଇନ ଖଣିଜ ପଦାର୍ଥ ଖନନ କରାଯାଇଛି।

Leave A Reply

Your email address will not be published.