Latest Odisha News

ବାଣ ଫୁଟାଇବା ଉପରେ କେବଳ ଦିଲ୍ଲୀ କାହିଁକି ସମଗ୍ର ଦେଶରେ ପ୍ରତିବନ୍ଧକ ଲଗାଯିବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ସମୟରେ ବାଣଫୁଟା କାରଣରୁ ହେଉଥିବା ବାୟୁ ପ୍ରଦ୍ୟୁଷଣକୁ ନେଇ ସିଜେଆଇ ଜଷ୍ଟିସ୍ ବି.ଆର. ଗଭାଇ ସାରା ଦେଶରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଜଷ୍ଟିସ୍ ଗଭାଇ କହିଛନ୍ତି ଯେ, ଦିଲ୍ଲୀରେ ଉଚ୍ଚବର୍ଗର ଲୋକମାନେ ବାସ କରନ୍ତି, ତେଣୁ ଦିଲ୍ଲୀ ପାଇଁ ଏକ ପୃଥକ ନୀତି ହୋଇପାରିବ ନାହିଁ । ସିଜେଆଇ ଆହୁରି ପ୍ରଶ୍ନ କରିଛନ୍ତି ଯେ ଯଦି ଦିଲ୍ଲୀ/ଏନସିଆର ସହରରେ ରହୁଥିବା ଲୋକଙ୍କର ସ୍ବଚ୍ଛ ବାୟୁରେ ରହିବାର ଅଧିକାର ଅଛି, ତେବେ ଅନ୍ୟ ସହରରେ ରହୁଥିବା ଲୋକଙ୍କର କାହିଁକି ଏହା ରହିବ ନାହିଁ?

ସିଜେଆଇ କହିଛନ୍ତି ଯେ, ମୁଁ ଗତ ଶୀତ ୠତୁରେ ଅମୃତସର ଯାଇଥିଲି ଏବଂ ସେଠାରେ ପ୍ରଦୂଷଣ ଦିଲ୍ଲୀ ଅପେକ୍ଷା ଖରାପ ଥିଲା ଏବଂ ଯଦି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯିବାକୁ ହୁଏ ତେବେ ସାରା ଦେଶରେ ଏହାକୁ ପ୍ରତିବନ୍ଧକ ଲଗାଯିବା ଉଚିତ୍ । ଦିଲ୍ଲୀ-ଏନସିଆର୍ ରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧ ବିରୋଧରେ ଆବେଦନ ଉପରେ କୋର୍ଟ CAQMକୁ ନୋଟିସ ଜାରି କରିଛନ୍ତି ଏବଂ ଦୁଇ ସପ୍ତାହ ମଧ୍ୟରେ ଉତ୍ତର ମାଗିଛନ୍ତି ।

ମାମଲାର ଶୁଣାଣି ସମୟରେ ବରିଷ୍ଠ ଓକିଲ କେ. ପରମେଶ୍ୱର କହିଛନ୍ତି ଯେ, ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଯୋଗୁଁ, ଏଜେନ୍ସି ଆମର ସମସ୍ତ ଲାଇସେନ୍ସକୁ ମଧ୍ୟ ନିଷେଧ କରୁଛି । ଆମେ NEERI ସହିତ କଥାବାର୍ତ୍ତା କରିବାକୁ ଏବଂ ସେମାନଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଣ ତିଆରି କରିବାକୁ ପ୍ରସ୍ତୁତ । NEERI ପକ୍ଷରୁ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ ସବୁଜ ବାଣର ତଦନ୍ତ କରାଯାଉଛି । ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ରେ ହେବ ।

Comments are closed.