Latest Odisha News

BREAKING NEWS

ଦିଦିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ଶିକ୍ଷକ ନିଯୁକ୍ତି ନେଇ ହେବନି ସିବିଆଇ ତଦନ୍ତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ବାତିଲ୍ ପରେ, ଏବେ ଦୋ ଦୋ ପାଞ୍ଚରେ ପଡିଥିଲେ ମମତା ସରକାର । ଗୋଟେ ପଟେ ୨୫ ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରି ଘୋଟାଲା ନେଇ ବିରୋଧୀଙ୍କ ସିବିଆଇ ତଦନ୍ତ ଦାବି, ଅନ୍ୟପଟେ ଚାକିରି ହରାଇଥିବା ବ୍ୟକ୍ତିଙ୍କ ଦାବି, କ’ଣ କରିବେ, କ’ଣ ନକରିବେ ତାଙ୍କୁ ନେଇ ବଢିଥିଲା ଦିଦିଙ୍କ ଚିନ୍ତା । ହେଲେ ଏହାରି ଭିତରେ ଏବେ ସୁପ୍ରିମକୋର୍ଟରୁ ମମତା ସରକାରଙ୍କୁ ବଡ ଆଶ୍ବସ୍ତି ମିଳିଛି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ନେଇ କୌଣସି ସିବିଆଇ ତଦନ୍ତ ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ଚୟନ ପ୍ରକ୍ରିୟାକୁ ବାତିଲ କରିବା ପରେ ରାଜ୍ୟର ସ୍କୁଲ ସେବା କମିଶନରୁ ବହିଷ୍କୃତ ପ୍ରାୟ ୨୫ ହଜାର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ବଙ୍ଗ ସରକାରଙ୍କ ଦ୍ୱାରା ଅତିରିକ୍ତ ପଦବୀ ସୃଷ୍ଟି କରାଯିବା ନେଇ କୌଣସି ସିବିଆଇ ତଦନ୍ତ ହେବ ନାହିଁ । ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କଲିକତା ହାଇକୋର୍ଟକୁ ଦ୍ବାରା ଆବେଦନ କରାଯାଇଥିବା ଖାରଜ କରି, କ୍ୟାବିନେଟ ନିଷ୍ପତ୍ତି ଉପରେ ତଦନ୍ତ କରିବାରୁ ବାରଣ କରାଯାଇଛି ।

ଗତ ସପ୍ତାହରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସ୍କୁଲ ସେବା କମିଶନର ଚୟନ ପ୍ରକ୍ରିୟାରେ ହେରାଫେରି ଏବଂ ଜାଲିଆତି ସ୍ପଷ୍ଟ ଭାବେ ବାରିଥିଲେ । ଏହା ଶିକ୍ଷାର ବୈଧତାକୁ କଳୁଷିତ କରିଥିଲା ବୋଲି ମତ ରଖିଥିଲେ କୋର୍ଟ । ଯାହାକୁ ନେଇ ସବିଆଇ ତଦନ୍ତ ଦାବି କରି ମମତା ସରକାରଙ୍କୁ ଘେରିଥିଲେ ବିରୋଧୀ । ଏନେଇ ଶୁଣାଣି କରି ସର୍ବୋଚ୍ଚ କୋର୍ଟ କହିଛନ୍ତି, ପ୍ରତ୍ୟେକ ପର୍ଯ୍ୟାୟରେ ହେରଫେର୍ ରହିଛି । ଏହି ପ୍ରକାରର ଯାଞ୍ଚ କରିବା କଷ୍ଟକର । ଯାହା ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟାକୁ ଉଦ୍ଦେଶ୍ୟମୂଳକ ଭାବରେ ଆଘାତ ଦେଇଥିଲା ।

ତେବେ ପୁର୍ବରୁ କୋଲକାତା ହାଇକୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟାରେ ହେରଫେର୍ ଏବଂ ଜାଲିଆତି ହୋଇଥିବା ଜାଣିବା ପରେ, ନିଯୁକ୍ତି ରଦ୍ଦ କରିବାକୁ ଆଦେଶ ଦେଇଥିଲେ । ଏହି ବିବାଦର କେନ୍ଦ୍ରରେ ରାଜ୍ୟ ଦ୍ୱାରା ସୃଷ୍ଟି ହୋଇଥିବା ସୁପରନ୍ୟୁମେରାରୀ ପଦବୀରେ ୨୦୧୬ରେ ୨୩ ଲକ୍ଷରୁ ଅଧିକ ପ୍ରାର୍ଥୀ ରାଜ୍ୟସ୍ତରୀୟ ପରୀକ୍ଷା ଦେଇଥିଲେ । ଏଥିରେ ୨୪ ହଜାର ୬୪୦ଟି ପଦବୀ ଭର୍ତ୍ତି ନିମନ୍ତେ ଫାଙ୍କା ରହିଥିଲା । କିନ୍ତୁ ଏଥିରେ ୨୫, ୭୫୩ଟି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଫଳରେ ବେଆଇନ ନିଯୁକ୍ତି ଅଭିଯୋଗ ଆସିଥିଲା । ଯାହା ତୃଣମୂଳ ସରକାରଙ୍କ ପାଇଁ ସେତେବେଳେ ଏକ ସମସ୍ୟା ସୃଷ୍ଟି କରିଥିଲା । ଏଥିରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ଏବଂ ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ଲେଫ୍ଟନାଣ୍ଟ ପାର୍ଥ ଚାଟାର୍ଜୀଙ୍କ ସମେତ ଅନେକ ଶୀର୍ଷ ନେତାଙ୍କୁ ଜେଲ୍ ଯିବାକୁ ପଡିଥିଲା । ଯାହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ମମତା ସରକାର । କେଉଁ ନିଯୁକ୍ତି ଠିକ୍, କାହାର ନିଯୁକ୍ତି ପ୍ରକ୍ରିୟା ଜାଲିଆତି ସେନେଇ ଚୟନ କରିବାକୁ ଚାପ ପକାଇଥିଲେ । ଯାହାର ଶୁଣାଣିରେ ହାଇକୋର୍ଟର ନିର୍ଦ୍ଦେଶକୁ କାଏମ୍ ରଖିଥିଲେ ସୁପ୍ରିମକୋର୍ଟ । ୨୫ ହଜାରରୁ ଅଧିକ ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିଙ୍କୁ ରଦ୍ଦ କରିଥିଲେ । ଏଥିରେ ନିଜର କ୍ଷୋଭ ପ୍ରକାଶ କରି ଯୋଗ୍ୟ ଶିକ୍ଷକମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥିଲେ ।

ବରିଷ୍ଠ ବିଜେପି ନେତା ଅମିତ ମାଲବ୍ୟ ଗତ ସପ୍ତାହର ସୁପ୍ରିମକୋର୍ଟ ରାୟକୁ ମମତା ସରକାରଙ୍କ ଚୂର୍ଣ୍ଣ ପରାଜୟ ବୋଲି ବର୍ଣ୍ଣନା କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ, ଯାହାଙ୍କ ନଜରରେ ଏହି ବିଶାଳ ଠକେଇ ହଜାର ହଜାର ଯୁବକଙ୍କ କ୍ୟାରିଅରକୁ ନଷ୍ଟ କରିଦେଇଥିଲା, ତାଙ୍କୁ ମଧ୍ୟ ଦାୟୀ କରାଯିବା ଉଚିତ ଏବଂ ମମତା ସରକାର ବି ବିଚାରର ସମ୍ମୁଖୀନ ହେବା ଉଚିତ ବୋଲି ସେ ଦାବି କରିଥିଲେ ।

Comments are closed.