Latest Odisha News

ହେଟ ସ୍ପିଚ ମାମଲାରେ ସୁପ୍ରିମକୋର୍ଟଙ୍କ କଡା ତାଗିଦ: ଧର୍ମକୁ ନ ଦେଖି ତୁରନ୍ତ ମାମଲା ରୁଜୁ କର

ନୂଆଦିଲ୍ଲୀ: ହେଟ ସ୍ପିଚ ମାମଲାରେ ଧର୍ମକୁ ନ ଦେଖି ତୁରନ୍ତ ଅଭିଯୁକ୍ତଙ୍କ ନାଁରେ ଏଫଆଇଆର ରୁଜୁ କର । ଯାହା ଫଳରେ ସମ୍ବିଧାନର ପ୍ରସ୍ତାବନା ଅନୁସାରେ ଭାରତର ଧର୍ମନିରପେକ୍ଷତାକୁ ସୁରକ୍ଷିତ ରଖାଯାଇ ପାରିବ । ଶୁକ୍ରବାର ଏପରି ଟିପ୍ପଣୀ କରି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ହେଟ ସ୍ପିଚ ମାମଲାରେ ତୁରନ୍ତ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି, ହେଟ ସ୍ପିଚ ମାମଲାରେ ରାଜ୍ୟ ପୋଲିସ କୌଣସି ଔପଚାରିକ ଅଭିଯୋଗକୁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । ଏ କ୍ଷେତ୍ରରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିବା ଦରକାର । କୋର୍ଟ ତାଗିଦ କରି କହିଛନ୍ତି, ଏହି ମାମଲାରେ କୌଣସି ପ୍ରକାର ଅବହେଳା ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ।

ଯେଉଁଠି ହେଟ ସ୍ପିଚ ଦିଆଯାଉଛି, ସେଠାରେ ରାଜ୍ୟ ପୋଲିସ କୌଣସି ଭେଦଭାନ ନ ରଖି ଏଫଆଇଆର ରୁଜୁ କରିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏ ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିବା ପାଇଁ କୋର୍ଟ  ସମସ୍ତ ରାଜ୍ୟ ସରକାରଙ୍କୁ କହିଛନ୍ତି ।

କୋର୍ଟ ପୂର୍ବରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ପୋଲିସକୁ ହେଟ ସ୍ପିଚ ମାମଲାରେ ନିଜ ଆଡୁ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ଦେଶର ସବୁ ରାଜ୍ୟରେ ଏହା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।

ପୂର୍ବରୁ ହେଟ ସ୍ପିଚକୁ ନେଇ ଅନେକ ମାମଲା ଦେଖିବାକୁ ମିଳିଛି । ଏ ନେଇ ସୁପ୍ରିମ କୋର୍ଟରେ ବି ମାମଲା ରୁଜୁହୋଇଛି । ଏହି ମାମଲାରେ ଅଦାଲତ ସରକାରଙ୍କ ବିରୋଧରେ କଡା ଟିପ୍ପଣୀ ଦେଇଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଗତମାସରେ କହିଥିଲେ, ଯେବେ ଧର୍ମ ଏବଂ ରାଜନୀତି ଅଲଗା ହୋଇଯିବ ଏବଂ ନେତା ରାଜନୀତିରେ ଧର୍ମର ବ୍ୟବହାର କରିବା ବନ୍ଦ କରିଦେବେ ତେବେ ହେଟ ସ୍ପିଚ ବନ୍ଦ ହୋଇଯିବ ।

Comments are closed.