Latest Odisha News

BREAKING NEWS

TET Qualification: ଶିକ୍ଷକଙ୍କ ପାଇଁ ବଡ଼ ଆଶ୍ୱସ୍ତି: TET ବାଧ୍ୟତାମୂଳକ, ୨ ବର୍ଷ ବଦଳରେ ମିଳିଲା ୩ ବର୍ଷ ସମୟ

ଭୁବନେଶ୍ୱର: ଦେଶର ହଜାର ହଜାର କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି ସୁପ୍ରିମକୋର୍ଟ। ଟିଚର ଏଲିଜିବିଲିଟି ଟେଷ୍ଟ (TET) ଉତ୍ତୀର୍ଣ୍ଣ ହେବା ପାଇଁ ଦିଆଯାଉଥିବା ସମୟସୀମାକୁ ୨ ବର୍ଷରୁ ବଢ଼ାଇ ୩ ବର୍ଷ କରାଯାଇଛି। ଏଥିସହିତ ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ୍ ବାଧ୍ୟତାମୂଳକ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଗତ ମେ ୨୯ ତାରିଖରେ ଏହି ସମ୍ପର୍କରେ ଆଦେଶ ଜାରି କରିଥିଲେ। ଏହା ପରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅତିରିକ୍ତ ସଚିବ ଯଦୁମଣି ମାହାଳାଙ୍କ ଦସ୍ତଖତ ଥିବା ଚିଠିରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ବ୍ଲକ ଶିକ୍ଷା ଅଧିକାରୀ (BEO)ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ସୁପ୍ରିମକୋର୍ଟ ‘ଅଞ୍ଜୁମାନ ଇସାତ୍-ଇ-ତାଲିମ୍ ଟ୍ରଷ୍ଟ ଏବଂ ଅନ୍ୟମାନେ ବନାମ ଉତ୍ତରପ୍ରଦେଶ ରାଜ୍ୟ’ ମାମଲାର ପୂର୍ବ ରାୟର ପାରାଗ୍ରାଫ୍-୨୧୭ରେ ସଂଶୋଧନ କରି ଏହି ସମୟସୀମା ବୃଦ୍ଧି କରିଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ, ଯେଉଁ ଶିକ୍ଷକମାନେ ଏପର୍ଯ୍ୟନ୍ତ TET ପାସ୍ କରିନାହାନ୍ତି ସେମାନେ ୩୧ ଅଗଷ୍ଟ ୨୦୨୮ ସୁଦ୍ଧା ଏହି ଯୋଗ୍ୟତା ହାସଲ କରିପାରିବେ। ବିଭାଗୀୟ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି ଯେ ସମସ୍ତ କାର୍ଯ୍ୟରତ ଶିକ୍ଷକଙ୍କୁ ନୂଆ ୩ ବର୍ଷର ସମୟସୀମା ମଧ୍ୟରେ TET ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

ଏହି ନିଷ୍ପତ୍ତି ଦ୍ୱାରା ଶିକ୍ଷକମାନଙ୍କୁ ଅଧିକ ସମୟ ମିଳିବା ସହ ଶିକ୍ଷାଦାନ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନକରି ଆବଶ୍ୟକ ଯୋଗ୍ୟତା ପୂରଣ କରିବାର ସୁଯୋଗ ମିଳିବ। ଏଥିସହ ଦେଶବ୍ୟାପୀ ଶିକ୍ଷକ ଯୋଗ୍ୟତା ମାନଦଣ୍ଡକୁ ଏକରୂପ କରିବା ଏବଂ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.