ନୂଆଦିଲ୍ଲୀ: ଭାରତରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ଅବସ୍ଥା ପୁଣି ଥରେ ଖବରର ଶିରୋନାମାରେ ରହିଛି । ଦିଲ୍ଲୀରୁ ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ସମ୍ଭାବ୍ୟ ନିର୍ବାସନ ଉପରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଦୀପଙ୍କର ଦତ୍ତା ଏବଂ ଏନ.କୋଟେଶ୍ଵର ସିଂହଙ୍କ ଖଣ୍ଡପୀଠ ଏନେଇ ଶୁଣାଣି କରିଛନ୍ତି ।
ଏହି ନିଷ୍ପତ୍ତି ପରେ, ଭାରତରେ ଆଶ୍ରୟ ନେଉଥିବା ରୋହିଙ୍ଗ୍ୟାଙ୍କ ଭବିଷ୍ୟତ କ’ଣ ହେବ ସେ ବିଷୟରେ ବିତର୍କ ତୀବ୍ର ହୋଇଛି ।
କୋର୍ଟ କହିଛନ୍ତି ଯେ, ଭାରତର ସମ୍ବିଧାନ ଅନୁଯାୟୀ, ଦେଶରେ ରହିବା ପାଇଁ କେବଳ ଭାରତୀୟ ନାଗରିକଙ୍କ ଅଧିକାର ରହିଛି । ବିଦେଶୀ ନାଗରିକଙ୍କ ପାଇଁ ବିଦେଶୀ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଭାରତରେ ଶରଣ ଦେବାକୁ ଏବଂ ଶରଣାର୍ଥୀ ମାନ୍ୟତା ଦେବାକୁ ଦାବି କରି ରୋହିଙ୍ଗ୍ୟା ସମ୍ପ୍ରଦାୟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା । ଆବେଦନକାରୀମାନେ ଯୁକ୍ତି ଦେଇଥିଲେ ଯେ ସେମାନେ ମିଆଁମାରରେ ହିଂସା, ନିର୍ଯାତନା ଏବଂ ନରସଂହାରର ସମ୍ମୁଖୀନ ହେଉଛନ୍ତି ଏବଂ ତେଣୁ ଭାରତ ସେମାନଙ୍କୁ ଏକ ନିରାପଦ ଆଶ୍ରୟସ୍ଥଳ ଯୋଗାଇବା ଉଚିତ୍ ।
ଶୁଣାଣି ସମୟରେ ବିଚାରପତି ସୂର୍ଯ୍ୟକାନ୍ତ, ଦୀପଙ୍କର ଦତ୍ତ ଏବଂ ଏନ୍. କୋଟେଶ୍ୱର ସିଂହଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ ଭାରତର ସମ୍ବିଧାନ କେବଳ ଭାରତୀୟ ନାଗରିକଙ୍କୁ ଦେଶରେ ରହିବାର ଅଧିକାର ଦେଇଛି । ବିଦେଶୀ ନାଗରିକଙ୍କ ସହ ଜଡିତ ମାମଲାରେ, ଭାରତର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବରିଷ୍ଠ ଆଇନଜୀବୀ କୋଲିନ୍ ଗୋଁସାଲିବସ୍ ଏବଂ ପ୍ରଶାନ୍ତ ଭୂଷଣ ଯୁକ୍ତି ଦେଇଥିଲେ ଯେ ରୋହିଙ୍ଗ୍ୟାମାନଙ୍କୁ ଜାତିସଂଘ ମାନବାଧିକାର କମିଶନ (UNHCR) ଦ୍ୱାରା ଶରଣାର୍ଥୀ ମାନ୍ୟତା ଦିଆଯାଇଛି ଏବଂ ସେମାନଙ୍କର ଶରଣାର୍ଥୀ କାର୍ଡ ଅଛି, ତେଣୁ ସେମାନଙ୍କୁ ଭାରତରେ ରହିବାକୁ ଅନୁମତି ଦିଆଯିବା ଉଚିତ । ସରକାରୀ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତ ୧୯୫୧ ମସିହାର ଜାତିସଂଘ ଶରଣାର୍ଥୀ ସମ୍ମିଳନୀ ସ୍ୱାକ୍ଷର କରିନାହିଁ, ତେଣୁ UNHCR ର ମାନ୍ୟତା ଭାରତ ପାଇଁ ବାଧ୍ୟତାମୂଳକ ନୁହେଁ । ସେ କହିଛନ୍ତି ଯେ ରୋହିଙ୍ଗ୍ୟାମାନେ ବିଦେଶୀ ନାଗରିକ ଏବଂ ସେମାନଙ୍କ ମାମଲାରେ ବିଦେଶୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସୁପ୍ରିମକୋର୍ଟ ମାମଲାର ବିସ୍ତୃତ ଶୁଣାଣି ପାଇଁ ଜୁଲାଇ 31 ତାରିଖ ଧାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ପାଇଁ, କୋର୍ଟ କହିଛନ୍ତି ଯେ ରୋହିଙ୍ଗ୍ୟା ପ୍ରବାସୀମାନଙ୍କର ବଞ୍ଚିବାର ଅଧିକାର ଥାଇପାରେ କିନ୍ତୁ ଭାରତରେ ରହିବାର ଆଇନଗତ ଅଧିକାର ନାହିଁ ।
Comments are closed.