Latest Odisha News

BREAKING NEWS

କର୍ଣ୍ଣାଟକ ସଙ୍କଟ: ଆଜି ସନ୍ଧ୍ୟାରେ ବାଚସ୍ପତିଙ୍କୁ ଭେଟିବେ ଅସନ୍ତୁଷ୍ଟ ବିଧାୟକ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବା ପରେ ଏବେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇପଡ଼ିଛି । ଗୁରୁବାର ଦିନ ସନ୍ଧ୍ୟା ୬ଟା ବେଳେ ଇସ୍ତଫା ପ୍ରଦାନ କରିଥିବା ଜେଡ଼ିଏସ ଓ କଂଗ୍ରେସ ବିଧାୟକମାନେ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କୁ ଭେଟିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ବାଚସ୍ପତି ତୁରନ୍ତ ବିଧାୟକମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି ଅଦାଲତ ତାଙ୍କର ଶୁଣାଣିରେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ବୁଧବାର ଦିନ କର୍ଣ୍ଣାଟକ ବିଧାନସଭାର ଶାସକ ଜେଡ଼ିଏସ ଓ କଂଗ୍ରେସ ଦଳର ୧୦ ଜଣ ବିଧାୟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ । ବାଚସ୍ପତି ତୁରନ୍ତ ସେମାନଙ୍କ ଇସ୍ତଫା ଗ୍ରହଣ କରି ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାଟିକୁ ବିଚାର କରୁଛନ୍ତି । ଅସନ୍ତୁଷ୍ଟ ବିଧାୟକମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଏହି ମାମଲା ପରିଚାଳନା କରୁଛନ୍ତି । ଆଇନଜୀବୀ ରୋହତଗୀଙ୍କ ସମସ୍ତ ଯୁକ୍ତିକୁ ଏହି ଖଣ୍ଡପୀଠ ଶୁଣିବାପରେ ସୁପ୍ରିମକୋର୍ଟ ଆଜି ଏହି ଶୁଣାଣି କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ବିଧାନସଭାର ୧୦ ଜଣ ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିବାରେ ଅଯଥା ବିଳମ୍ବ କରିବାନେଇ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏହି ବିଧାୟକମାନେ ଅଭିଯୋଗ କରିଥିଲେ । କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ରମେଶ କୁମାର ସେମାନଙ୍କ ଇସ୍ତଫାପତ୍ର ଜାଣିଶୁଣି ଗ୍ରହଣ ନକରି ଅଯଥା ବିଳମ୍ବ କରୁଛନ୍ତି ବୋଲି ଅସନ୍ତୁଷ୍ଟ ବିଧାୟକମାନେ ଅଭିଯୋଗ କରିଥିଲେ । ଅଯଥା ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଥିବାର ଅଭିଯୋଗ କରିଥିବା ନେଇ ବିଧାୟକମାନେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ।

ଏପଟେ କର୍ଣ୍ଣାଟକ ବିଧାନସଭାରେ ଆଉ ୨ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବାପରେ ଜେଡ଼ିଏସ-କଂଗ୍ରେସ ସରକାରକୁ ପୁଣି ଝଟକା ମିଳିଛି । ଆଜି କଂଗ୍ରେସର ୨ଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କ ନିକଟକୁ ସେମାନଙ୍କ ଇସ୍ତଫାପତ୍ର ପଠାଇଦେଇଛନ୍ତି । ଏହାଫଳରେ କୁମାରସ୍ୱାମୀ ସରକାରଙ୍କ ସଙ୍କଟ ବୃଦ୍ଧି ପାଇଛି ।

ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବା ସହିତ ବିଧାୟକମାନଙ୍କୁ ସୁରକ୍ଷା ପ୍ରଦାନ ଲାଗି ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.