Latest Odisha News

ଜାତୀୟ ପୁରୁଷ କମିଶନ ଗଠନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଖାଲି ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି ତାହା ନୁହେଁ। ପୁରୁଷମାନେ ମଧ୍ୟ ଘରୋଇ ହିଂସାର ଶିକାର ହେଉଛନ୍ତି। ଏନେଇ ବିବାହିତ ପୁରୁଷମାନେ ଆତ୍ମହତ୍ୟା କରୁଛନ୍ତି ବୋଲି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। କିନ୍ତୁ ଜୁଲାଇ ୩ ତାରିଖରେ ସୁପ୍ରିମକୋର୍ଟ ଜାତୀୟ ପୁରୁଷ ଆୟୋଗ ଗଠନ ଆବେଦନକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କେହି ଆତ୍ମହତ୍ୟା କରିବାକୁ ଚାହାଁନ୍ତି ନାହିଁ। ଏହା ବ୍ୟକ୍ତିଗତ ମାମଲାର ତଥ୍ୟ ଉପରେ ନିର୍ଭର କରେ। ଏହି ବିଷୟଟି ଏପରି ନୁହେଁ ଯେ ଯେଉଁଠି ଆଇନର କୌଣସି ବ୍ୟବସ୍ଥା ନାହିଁ। କୋର୍ଟ କହିଛନ୍ତି ଅପରାଧିକ ଆଇନ ଚିକିତ୍ସା ନୁହେଁ, ଏହା ସୁରକ୍ଷା ପ୍ରଦାନ କରିଥାଏ।

ସୂଚନା ଅନୁସାରେ ଆଡଭୋକେଟ ମହେଶ କୁମାର ତିୱାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ୨୦୨୧ ମସିହାରେ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସମ୍ପର୍କରେ ପ୍ରକାଶିତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଦର୍ଶାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ସେହି ବର୍ଷ ସାରା ଦେଶରେ ୧,୬୪,୦୩୩ ଲୋକ ଆତ୍ମହତ୍ୟା କରିଥିଲେ। ଅର୍ଥାତ୍ ବିବାହିତ ପୁରୁଷଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲାରେ ବୃଦ୍ଧି ଘଟିଛି। ତେଣୁ ପୁରୁଷଙ୍କ ସମସ୍ୟା ବୁଝିବା ଏବଂ ସମାଧାନ ପାଇଁ ଏକ କମିଶନ ଗଠନ କରାଯାଉ ବୋଲି ଆବେଦନରେ ଦାବି କରାଯାଇଥିଲା।

ଆବେଦନରେ ଦର୍ଶାଯାଇଛି ଯେ ଏଥିମଧ୍ୟରୁ ଆତ୍ମହତ୍ୟା କରିଥିବା ବିବାହିତ ପୁରୁଷଙ୍କ ସଂଖ୍ୟା ୮୧,୦୬୩ ଥିବାବେଳେ ୨୮,୬୮୦ ଜଣ ବିବାହିତ ପୁରୁଷ ଥିଲେ। ଏନସିଆରବି ତଥ୍ୟକୁ ଦର୍ଶାଇ ଏହି ଆବେଦନପତ୍ରରେ କୁହାଯାଇଛି ଯେ ୨୦୨୧ ମସିହାରେ ପ୍ରାୟ ୩୩.୨ ପ୍ରତିଶତ ପୁରୁଷ ପାରିବାରିକ ସମସ୍ୟା ଏବଂ ୪.୮ ପ୍ରତିଶତ ବିବାହ କାରଣରୁ ଜୀବନ ଶେଷ କରିଥିଲେ। ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ମୁକାବିଲା କରିବା ଏବଂ ଘରୋଇ ହିଂସାର ଶିକାର ହୋଇଥିବା ପୁରୁଷଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜାତୀୟ ମାନବ ଅଧିକାର ଆୟୋଗକୁ ଏକ ଆବେଦନ ମଧ୍ୟ କରାଯାଇଥିଲା। ଘରୋଇ ହିଂସା ପୀଡିତ ପୁରୁଷଙ୍କ ଅଭିଯୋଗକୁ ତୁରନ୍ତ ଗ୍ରହଣ କରିବାକୁ ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରରେ ଅନୁରୋଧ କରାଯାଇଛି।

Leave A Reply

Your email address will not be published.