Latest Odisha News

BREAKING NEWS

ଜ୍ଞାନବାପି ମସଜିଦର ବ୍ୟାସ ବେସମେଣ୍ଟରେ ଜାରି ରହିବ ପୂଜାର୍ଚ୍ଚନା: ସୁପ୍ରିମକୋର୍ଟ

ଲକ୍ଷ୍ନୌ: ଜ୍ଞାନବାପି ମସଜିଦର ବ୍ୟାସ ବେସମେଣ୍ଟରେ ହିନ୍ଦୁମାନଙ୍କର ପୂଜା କରିବାକୁ ବିରୋଧରେ ମସଜିଦ୍ କମିଟିର ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ମାନ୍ୟବର ସୁପ୍ରିମ୍ କୋର୍ଟ ଜ୍ଞାନବାପିର ବ୍ୟାସ ବେସମେଣ୍ଟରେ ଜାରି ରହିଥିବା ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଛନ୍ତି । ତେବେ ଜାନୁଆରୀ ୩୧ ର ଆଦେଶ ଯୋଗୁଁ ପ୍ରାର୍ଥନା ପ୍ରଭାବିତ ହୋଇନାହିଁ ବୋଲି ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବେସମେଣ୍ଟରେ ପୂଜା ବିରୋଧରେ ମସଜିଦ୍ ପକ୍ଷର ଆବେଦନ ଉପରେ ସୁପ୍ରିମକୋର୍ଟ ନିମ୍ନ ଅଦାଲତର ଆବେଦନକାରୀ ଶୈଳେନ୍ଦ୍ର ବ୍ୟାସଙ୍କୁ ନୋଟିସ୍ ଜାରି କରିଛନ୍ତି। ଜ୍ଞାନବାପି ପରିସରରେ ଥିବା ବ୍ୟାସ ବେସମେଣ୍ଟରେ ପୂଜା ବିରୋଧରେ ହୋଇଥିବା ଆବେଦନର ଶୁଣାଣି ଜୁଲାଇ ତୃତୀୟ ସପ୍ତାହରେ ହେବ।

ଆଜିର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ବେସମେଣ୍ଟର ପ୍ରବେଶ ଦ୍ୱାର ଦକ୍ଷିଣରୁ ଏବଂ ମସଜିଦ ଉତ୍ତର ଦିଗରୁ ରହିଛି। ଦୁହେଁ ପରସ୍ପରକୁ ପ୍ରଭାବିତ କରନ୍ତି ନାହିଁ । ବର୍ତ୍ତମାନ ପାଇଁ ଉଭୟ ପୂଜା ଓ ନମାଜ ନିଜ ନିଜ ସ୍ଥାନରେ ଜାରି ରଖିବ।

ଶୁଣାଣି ବେଳେ ବ୍ୟାସ ପରିବାରର ଓକିଲ ଶ୍ୟାମ ଦିୱାନ୍ ନୋଟିସ ଜାରି କରିବାକୁ ନେଇ ବିରୋଧ କରିଥିଲେ । ସେ କହିଥିଲେ ଯେ ନିମ୍ନ ଅଦାଲତରେ ଏପର୍ଯ୍ୟନ୍ତ ମାମଲାର ସମ୍ପୂର୍ଣ୍ଣ ସମାଧାନ ହୋଇ ନାହିଁ। ତେଣୁ ଏବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ। ଏହା ସତ୍ତ୍ଵେ ମଧ୍ୟ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, କାଶିବିଶ୍ୱନାଥ ମନ୍ଦିରଙ୍କୁ ଲାଗିଥିବା ଜ୍ଞାନବ୍ୟାପୀ ମସଜିଦ୍‌ର କାନ୍ଥ ବାହାରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରହିଥିଲା। ଏହାକୁ ପୂଜା କରିବାକୁ ଦିଲ୍ଲୀର ରାକ୍ଷୀ ସିଂହ,ଲକ୍ଷ୍ମୀ ଦେବୀ ଓ ସୀତା ସାହୁ କୋର୍ଟରେ ଆବେଦନ କରିଥିଲେ। ଏହାପରେ କୋର୍ଟ ମସ୍‌ଜିଦ୍‌ରେ ଗବେଷଣା କରିବାକୁ ଅନୁମତି ଦେଇଥିଲେ। ଏହା ପରେ, ଦୀର୍ଘ ୩୧ ବର୍ଷ ପରେ, ଜ୍ଞାନବାପିରେ ବ୍ୟାସ ତହଖାନାରେ ପୁଣି ଥରେ ପୂଜା ଆରମ୍ଭ ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟର ସଦସ୍ୟ ତଥା ମୁଖ୍ୟ ପୁରୋହିତଙ୍କ ତତ୍ତ୍ୱାବଧାନରେ ଏହି ପୂଜାପାଠ କରାଯାଉଛି, ଯାହାକୁ ଅଞ୍ଜୁମନ ମସଜିଦ୍ କମିଟି ବିରୋଧ କରୁଛି ଏବଂ ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି ।

 

Comments are closed.