Latest Odisha News

ଦିଲ୍ଲୀ କୃଷକ ଆନ୍ଦୋଳନ: ଶମ୍ବୁ ବର୍ଡର ଖୋଲିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ଜିଦରେ ଅଟଳ ରହିଛନ୍ତି କୃଷକ। ଦିଲ୍ଲୀ ଚଲୋ ଆନ୍ଦୋଳନ ପାଇଁ ବନ୍ଦ ରହିଛି ଶମ୍ଭୁ ବର୍ଡର। ହେଲେ ଏହି ବର୍ଡରକୁ ନେଇ ଆସିଛି ବଡ ସୂଚନା। ଏହି ବର୍ଡର ଏବେ ଖୋଲିବ ନାହିଁ। ସୋମବାର ସୁପ୍ରିମକୋର୍ଟ ଶମ୍ଭୁ ବର୍ଡର ଖୋଲିବା ପାଇଁ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଏହି ଆବେଦନରେ ପଞ୍ଜାବର ସବୁ ହାଇୱେ ଖୋଲିବା ପାଇଁ ଦାବି କରାଯାଇଥିଲା। ଶୁଣାଣିରେ କୋର୍ଟ କହିଛନ୍ତି,ଏହି ମାମଲାରେ ପୂର୍ବରୁ ଏକ ଆବେଦନ ବିଚାର ନିମନ୍ତେ ରହିଛି। ତେଣୁ ନୂଆ ଆବେଦନ ଉପରେ ଚର୍ଚ୍ଚା ହୋଇ ପାରିବନି।

ସୂଚନା ଅନୁଯାୟୀ, ପଞ୍ଜାବର ଗୌରବ ଲୁଥରା ସୁପ୍ରିମକୋର୍ଟରେ ଏହି ଆବେଦନ  କରିଥିଲେ। ଏଥିରେ ସେ କେନ୍ଦ୍ର ସରକାର, ପଞ୍ଜାବ ସରକାର ଓ ହରିୟାଣା ସରକାରଙ୍କୁ ସବୁ ରାଜ୍ୟର ସୀମା ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ରାଜ୍ୟ ସୀମା ବନ୍ଦ ରହିବା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ସେ ଏହି ଅବେଦନରେ ଯୁକ୍ତି ବାଢିଥିଲେ। ତେବେ କୋର୍ଟ ପୂର୍ବରୁ ଏହିପରି ଏକ ଆବେଦନ ବିଚାରାଧୀନ ଥିବାର କହି ଏହାର ଶୁଣାଣିକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୮ ଡିସେମ୍ବର ରବିବାର ଅର୍ଥାତ ଗତକାଲି ୧୦୧ ଚାଷୀ ପୁଣି ଥରେ ଦିଲ୍ଲୀ ଅଭିଯାନ ଲାଗି ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା। ପଞ୍ଜାବ ସୀମାରେ ହରିୟାଣା ଫୋର୍ସ ଚାଷୀଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ଯାସ ପ୍ରୟୋଗ କରିବା ସହ ପାଣି ମାଡ଼କରି ଚାଷୀଙ୍କୁ ଅଟକାଇଥିଲା। ପୋଲିସର ଏପରି ବଳ ପ୍ରୟୋଗ କାରଣରୁ ୯ ଜଣ ଚାଷୀ ଆହତ ହୋଇଥିବା କୃଷକ ନେତାମାନେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଚାଷୀମାନେ ଦିଲ୍ଲୀ ଚଲୋ ଅଭିଯାନକୁ ସ୍ଥଗିତ କରିଛନ୍ତି। ଆଗାମୀ ରଣନୀତି ପାଇଁ କୃଷକ ସଙ୍ଗଠନ ବୈଠକରେ ପରବର୍ତ୍ତି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ ବୋଲି ପଞ୍ଜାବ କୃଷକ ନେତା ସରବଣ ସିଂହ ପାନ୍ଧେର କହିଛନ୍ତି।

Comments are closed.