Latest Odisha News

ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା: ରିୟାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ସିବିଆଇର ଲୁକ୍ ଆଉଟ୍ ସର୍କୁଲାର ନୋଟିସକୁ ରଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ। ୨୦୨୦ ରେ ସିବିଆଇ ଦ୍ୱାରା ଜାରି କରାଯାଇଥିବା ଏହି ଲୁକ୍ ଆଉଟ୍ ସର୍କୁଲାର ନୋଟିସକୁ ହାଇକୋର୍ଟ ଚଳିତ ବର୍ଷ ଫେବୃଆରୀରେ ବାତିଲ କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସେହିପରି ରିୟାଙ୍କ ସହ ତାଙ୍କ ବାପା ଏବଂ ଭାଇଙ୍କୁ ମଧ୍ୟ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସେମାନଙ୍କ ବିରୁଦ୍ଧରେ ମଧ୍ୟ ସିବିଆଇ ଲଗାଇଥିବା ଲୁକ୍ ଆଉଟ୍ ସର୍କୁଲାର ନୋଟିସକୁ ରଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ବି.ଆର ଗଭାଇ ଏବଂ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ ମୌଖିକ ଭାବରେ କହିଛି ଯେ ଏହି ଆବେଦନ ତୁଚ୍ଛ ଏବଂ ଅଭିଯୁକ୍ତମାନେ ହାଇ-ପ୍ରୋଫାଇଲ୍ ଥିବାରୁ ତାଙ୍କ ବିରୋଧେ ଏହି ମାମଲା ଦାଖଲ କରାଯାଇଛି।

ସୂଚନାନୁସାରେ, ଫେବୃଆରୀରେ ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଓ ବାପାଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। ସିବିଆଇ ଲଗାଇଥିବା ଲୁକ୍ ଆଉଟ୍ ସର୍କୁଲାର ନୋଟିସ୍ ବିରୁଦ୍ଧରେ ସେମାନେ କରିଥିବା ଆବେଦନର ଶୁଣାଣି କରି ଏହାକୁ ରଦ୍ଦ କରି ଦେଇଥିଲେ। କିନ୍ତୁ ସିବିଆଇ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏ ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ସିବିଆଇର ଆବେଦନକୁ ଖାରଜ କରି ଦେଇଛନ୍ତି।

କାହିଁକି ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା?
ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ପାଟନାରେ ଏକ ମାମଲା ଦାୟର କରି ଅଭିନେତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କରିଥିଲେ ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ କରିଥିଲେ। ପରେ ସିବିଆଇ ଦ୍ୱାରା ଏହି ହାଇ ପ୍ରୋଫାଇଲ୍ ମାମଲା ଅନୁସନ୍ଧାନ କରାଯାଇଥିଲା। ଅଗଷ୍ଟ ୨୦୨୦ରେ ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ସିବିଆଇ ଏକ ନୋଟିସ ଜାରି କରିଥିଲା। ଏହି ସର୍କୁଲାରକୁ ରିୟା ଏବଂ ତାଙ୍କ ପରିବାର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ପ୍ରକାଶ ଥାଉକି, ଜୁନ୍୧୪, ୨୦୨୦ ରେ ବାନ୍ଦ୍ରାସ୍ଥିତ ବାସଭବନରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ମିଳିଥିଲା। ଏହାର କିଛି ଦିନ ପୂର୍ବରୁ ବାନ୍ଧବୀ ରିୟା ସେହି ଘରେ ରହୁଥିବାରୁ ବିବାଦ ଘେରକୁ ଆସିଥିଲେ। ସୁଶାନ୍ତ ସିଂହଙ୍କ ବାପା ମଧ୍ୟ ରିୟା ଚକ୍ରବର୍ତ୍ତୀ, ତାଙ୍କ ବାପା ଏବଂ ଭାଇଙ୍କ ବିରୁଦ୍ଧରେ ହତ୍ୟା ଓ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିଲେ।

ସୁଶାନ୍ତ ସିଂହଙ୍କ ବାପା ପାଟନା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିବାରୁ ପାଟନା ପୁଲିସ ଏବଂ ମୁମ୍ବାଇ ପୁଲିସ ମିଳିତ ଭାବେ ତଦନ୍ତ କରୁଥିଲେ। ଏହାପରେ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିଲା। ସିବିଆଇ ସେମାନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ନୋଟିସ୍ ଜାରି କରି ଥିବାବେଳେ ଆଜି ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ।

Leave A Reply

Your email address will not be published.