ନୂଆଦିଲ୍ଲୀ: ମାତୃତ୍ବ ଛୁଟି, ମହିଳାଙ୍କ ପ୍ରଜନନ ଅଧିକାର ଏବଂ ତାଙ୍କ ମାତୃତ୍ବ ସୁବିଧାର ଏକ ଅବିଚ୍ଛେଦ ଅଂଶ । ଏଥିପାଇଁ କୌଣସି ଅନୁଷ୍ଠାନ, କୌଣସି ବି ମହିଳାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ । ଆଜି ମାତୃତ୍ବ ଛୁଟି ନେଇ ଶୁଣାଣି କରି କିଛି ଗୁରୁତ୍ବପୂର୍ଣ୍ଣ ରାୟ ଦେଇ, ଏପରି କହିଛନ୍ତି ସୁପ୍ରିମକୋର୍ଟ ।
ତାମିଲନାଡୁର ଜଣେ ମହିଳା ସରକାରୀ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି କହିଛନ୍ତି । ଯାହାଙ୍କୁ ଦ୍ବିତୀୟ ବିବାହରୁ ସନ୍ତାନ ଜନ୍ମ ହେବା ପରେ ମାତୃତ୍ୱ ଛୁଟି ପାଇଁ ମନା କରାଯାଇଥିଲା। ଏହାକ ନେଇ କୋର୍ଟ ଏହିପରି କିଛି ଐତିହାସିକ ରାୟ ଶୁଣାଇଛନ୍ତି । ତାଙ୍କ ଆବେଦନରେ ମହିଳା କହିଛନ୍ତି, ତାଙ୍କର ପ୍ରଥମ ବିବାହରୁ ଦୁଇଟି ସନ୍ତାନ ଥିବାରୁ ତାଙ୍କର ମାତୃତ୍ୱ ଛୁଟି ମନା କରାଯାଇଥିଲା । ତାମିଲନାଡୁର ଏକ ନିୟମ ଅଛି ଯେ ମାତୃତ୍ୱ ସୁବିଧା କେବଳ ପ୍ରଥମ ଦୁଇଟି ସନ୍ତାନକୁ ପ୍ରଦାନ କରାଯିବ । ଏଥିସହିତ ମହିଳାଜଣଙ୍କ ଏହା ବି ସ୍ପଷ୍ଟ କରିଥିଲେ ଯେ, ତାଙ୍କ ପ୍ରଥମ ବିବାହରୁ ତାଙ୍କ ଦୁଇ ସନ୍ତାନଙ୍କ ପାଇଁ ବି ତାଙ୍କୁ କୌଣସି ମାତୃତ୍ୱ ଛୁଟି କିମ୍ବା ସୁବିଧା ପାଇ ମିଳିନାହିଁ, କାରଣ ସେ ଦ୍ବିତୀୟ ବିବାହ ପରେ ହିଁ ସରକାରୀ ଚାକିରିରେ ପ୍ରବେଶ କରିଥିଲେ ।
ଯାହାକୁ ନେଇ ମହିଳାଙ୍କ ଓକିଲ ଦାବି କରିଛନ୍ତି ଯେ, ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତି ମହିଳାଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରିଛି । କାରଣ ସେ ପୂର୍ବରୁ ତାମିଲନାଡୁର ମାତୃତ୍ୱ ଲାଭ ବ୍ୟବସ୍ଥାର ଲାଭ ଉଠାଇନାହାନ୍ତି ।
ଯାହାର ଶୁଣାଣି କରି ଆବେଦନକାରୀଙ୍କ ପକ୍ଷ ନେଇ ସୁପ୍ରିମକୋର୍ଟ ମାତୃତ୍ୱ ଲାଭର ପରିସରକୁ ବିସ୍ତାର କରି କହିଛନ୍ତି, ମାତୃତ୍ୱ ଛୁଟିକୁ ଏବେ ମୌଳିକ ପ୍ରଜନନ ଅଧିକାରର ଅଂଶ ଭାବରେ ସ୍ୱୀକୃତି ଦିଆଯିବ। ମାତୃତ୍ୱ ଛୁଟି ମାତୃତ୍ୱ ସୁବିଧାର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ମହିଳାଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କୌଣସି ଅନୁଷ୍ଠାନ ଜଣେ ମହିଳାଙ୍କୁ ମାତୃତ୍ୱ ଛୁଟି ପାଇବାର ଅଧିକାରରୁ ବଞ୍ଚିତ କରିପାରିବ ନାହିଁ ।
Comments are closed.