Latest Odisha News

BREAKING NEWS

Supreme Court: ବୁଲା କୁକୁର ମାମଲାରେ ସବୁ ରାଜ୍ୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ, ନଭେମ୍ବର ୩ରେ ସମସ୍ତ…

ନୂଆଦିଲ୍ଲୀ: ସମଗ୍ର ଦେଶରେ ବୁଲା କୁକୁରକୁ ନେଇ ସତ୍ୟପାଠ ଦାଖଲ କରିନଥିବାରୁ ରାଜ୍ୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ଏପରି ଘଟଣା ନିରନ୍ତର ଘଟୁଛି, ଯାହା ବିଦେଶରେ ମଧ୍ୟ ଦେଶର ପ୍ରତିଛବିକୁ ଖରାପ କରୁଛି । ତଥାପି, ରାଜ୍ୟଗୁଡ଼ିକ ନିର୍ଦ୍ଦେଶ ପାଳନର ସତ୍ୟପାଠ ଦାଖଲ କରିନାହାଁନ୍ତି । ଏଭଳି କହିବା ପରେ କୋର୍ଟ ନଭେମ୍ବର ୩ରେ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ହାଜର ହେବାକୁ ସମନ ଜାରି କରିଛନ୍ତି ।

ସୋମବାର ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, କେବଳ ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ସତ୍ୟପାଠ ଦାଖଲ କରିଛନ୍ତି । ଅନ୍ୟ ରାଜ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ସତ୍ୟପାଠ ଦାଖଲ ପାଇଁ ୨ ମାସ ସମୟ ସୀମା ଦିଆଯାଇଥିବା ବେଳେ ଏବେ ଏହାକୁ ତିନି ମାସ ପୁରିଥିବାବେଳେ, ସତ୍ୟପାଠ ଦାଖଲ କରାଯାଇ ନାହିଁ । ଯାହାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକର ଆଭିମୁଖ୍ୟ ପ୍ରତି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ନଭେମ୍ବର ୩ ତାରିଖରେ ହାଜର ହୋଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ବୁଲା କୁକୁର ସମସ୍ୟା କେବଳ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ଅଗଷ୍ଟ ୨୨ ତାରିଖରେ ସୁପ୍ରିମକୋର୍ଟ ଏହାକୁ ସମଗ୍ର ଭାରତର ସମସ୍ୟା ବୋଲି କହିଥିଲେ । ସମସ୍ୟାର ସମାଧାନ ପାଇଁ ବୁଲା କୁକୁରଙ୍କୁ ଧରି ବନ୍ଧ୍ୟାକରଣ କରିବା ପରେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଥିଲା । ଏପର୍ଯ୍ୟନ୍ତ କେତେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି, ତା’ର ରିପୋର୍ଟ ଦେବାକୁ କୁହାଯାଇଥିବା ବେଳେ କେବଳ ତିନୋଟି ରାଜ୍ୟକୁ ଛାଡି ଦେଲେ ଆଉ କୌଣସି ରାଜ୍ୟ ରିପୋର୍ଟ ଦେଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ୍ ବିକ୍ରମ ନାଥ କହିଛନ୍ତି, ନଭେମ୍ବର ୩ତାରିଖରେ ସମସ୍ତ ମୁଖ୍ୟ ସଚିବଙ୍କୁ ଉପସ୍ଥିତ ରହିବାକୁ ପଡିବ, ନଚେତ୍ ଆମେ ଅଡିଟୋରିୟମ୍‌ରେ କୋର୍ଟ କରିବୁ । ଯଦି ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନେ ହାଜର ନ ହୁଅନ୍ତି, ତେବେ ସେମାନଙ୍କୁ ଜରିମାନା ଲଗାଯିବ କିମ୍ବା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

Comments are closed.