ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ସରକାରଙ୍କ ବୁଲଡୋଜର୍ ଆକ୍ସନ ଉପରେ କଡା ଆପତ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ବୁଲଡୋଜର ଆକ୍ସନ ବିରୋଧରେ ପିଟିସନର ଶୁଣାଣି କରି କିଛି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଣେ ଅଭିଯୁକ୍ତ ହେଲା ବୋଲି ତା’ ଘର ଉପରେ ବୁଲଡୋଜର ଚାଲିବା ଯଥାର୍ଥ କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଯଦି କେହି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ତାଙ୍କ ଘରକୁ ବେଆଇନ ଭାବେ ଭଙ୍ଗାଯାଇପାରିବ ନାହିଁ । ଏଥିପାଇଁ ଉପଯୁକ୍ତ ଆଇନ କାନୁନ ମାନିବାକୁ ପଡିବ ବୋଲି ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ।
କେବଳ ସଂଖ୍ୟାଲଘୁଙ୍କୁ ଟାର୍ଗେଟ ଅଭିଯୋଗ
ବିଭିନ୍ନ ରାଜ୍ୟ ସରକାର ଅଭିଯୁକ୍ତଙ୍କ ଘର ଉପରେ ମନଇଛା ବୁଲଡୋଜର୍ ଚଳାଇବା ନେଇ ଅଭିଯୋଗ ହୋଇଛି । ଜମିୟତ ଉଲେମା-ଏ-ହିନ୍ଦ୍ ନାମକ ସଂଗଠନ ପକ୍ଷରୁ ବୁଲଡୋଜର ଆକ୍ସନ ବିରୋଧରେ ପିଟିସନ ଦାଖଲ କରାଯାଇଥିଲା । ୟୁପି, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବୁଲଡୋଜର ଆକ୍ସନ ସଂପର୍କରେ ପିଟିସନରେ ଉଲ୍ଲେଖ କରିଥିଲା ଜମିୟତ ଉଲେମା-ଏ-ହିନ୍ଦ୍ ବୁଲଡୋଜର ଆକ୍ସନ ଦ୍ୱାରା କେବଳ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ କରାଯାଇ ଏହା ଉପରେ ରୋକ୍ ଲଗାଇବାକୁ ଦାବି ହୋଇଛି । ଶୀଘ୍ର ଶୁଣାଣି କରି ରାୟ ଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି ଜମିୟତ ।
ସୁପ୍ରିମକୋର୍ଟରେ କ’ଣ କହିଲେ କେନ୍ଦ୍ର ସରକାର?
ସୁପ୍ରିମକୋର୍ଟଙ୍କ କଡା ଆପତ୍ତି ପରେ ବୁଲଡୋଜର ଆକସନ୍ ନେଇ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାରଙ୍କ ପକ୍ଷ ରଖି କହିଥିଲେ ଯେ, ଆଇନର ଉଲ୍ଲଂଘନ ହେଲେ ହିଁ ଘର ଭଙ୍ଗାଯାଉଛି ମ୍ୟୁନିସିପାଲ ଆଇନ ଅନୁସାରେ ହିଁ ଅବୈଧ ନିର୍ମାଣ ଭଙ୍ଗାଯାଉଛି । କୌଣସି ଅପରାଧର ଅଭିଯୁକ୍ତଙ୍କୁ ଟାର୍ଗେଟ କରାଯାଉନାହିଁ ବୋଲି ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ କହିଥିଲେ । ସରକାରଙ୍କୁ ଏ ବାବଦରେ ବିସ୍ତୃତ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ମ୍ୟୁନିସିପାଲିଟି ନୋଟିସ, କାର୍ଯ୍ୟାନୁଷ୍ଠାନ ଓ ଅନ୍ୟ ଅଭିଯୋଗ ଉପରେ ଜବାବ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନ ଓ ରାସ୍ତାକୁ ଅବରୋଧ କରୁଥିବା କୌଣସି ଅବୈଧ ନିର୍ମାଣକୁ ସଂରକ୍ଷଣ ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ବିଭିନ୍ନ ରାଜ୍ୟରେ ବୁଲଡୋଜର ଆକ୍ସନ
୨୦୨୦ ଏପ୍ରିଲରୁ ୨୦୨୩ ଜୁନ୍ ମଧ୍ୟରେ ଦିଲ୍ଲୀ, ଆସାମ, ଗୁଜରାଟ, ମଧ୍ୟପ୍ରଦେଶ ଓ ୟୁପିରେ ୧୨୮ଟି ଘର ଉପରେ ବୁଲଡୋଜର ଚାଲିଛି । ଆମନେଷ୍ଟି ଇଣ୍ଟରନ୍ୟାସନାଲର ୨୦୨୪ ଫେବ୍ରୁଆରୀ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ମୁଖ୍ୟତଃ ସଂଖ୍ୟାଲଘୁ ଅଭିଯୁକ୍ତଙ୍କ ଉପରେ ବୁଲଡୋଜର ଚାଲିଛି ।
Comments are closed.