Latest Odisha News

BREAKING NEWS

ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: କହିଲେ, ୬ ବର୍ଷ ଧରି ଖାଲି ଆଲୋଚନା, ଆମକୁ ଫଳାଫଳ ଦରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଆପ ସରକାରକୁ କଡା ଭାଷାରେ ତାଗିଦ କରିଛନ୍ତି । କୋର୍ଟ କହିଛନ୍ତି, ଗତ ୬ ବର୍ଷ ମଧ୍ୟରେ ଆପଣ ଲଗାତାର ଆଲୋଚନା କରୁଛନ୍ତି । ହେଲେ ଆମକୁ ସମସ୍ୟାର ସମାଧାନ ଦରକାର । ପ୍ରତି ବର୍ଷ ଏହି ମାମଲା କୋର୍ଟକୁ ଆସୁଛି ଏବଂ ସରକାର କିଛି କରୁଛନ୍ତି ବୋଲି କହୁଛନ୍ତି । ଆମେ ୬ ବର୍ଷ ଧରି ଏହି ସମସ୍ୟା ଉପରେ ଚର୍ଚ୍ଚା କରୁଛୁ । ହେଲେ ସମସ୍ୟାର ସମାଧାନ ହେଉଥିବା ଦେଖିବାକୁ ମିଳୁନି ।

କୋର୍ଟ କହିଛନ୍ତି, ଆଜି ଦିଲ୍ଲୀରେ ବର୍ଷା ହୋଇଛି । ବୋଧହୁଏ ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣିଲେ ଏବଂ ସାହାଯ୍ୟର ହାତ ବଢେଇଲେ । ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଦିଆ ଯାଇ ପାରିବ ନାହିଁ । ପଞ୍ଜାବରେ ନଡା ଜଳାଇବା ଘଟଣାକୁ ନେଇ ଯୁକ୍ତି ଶୁଣିବା ପରେ କୋର୍ଟ କହିଥିଲେ, ଧାନ ଚାଷ ପାଇଁ ପଞ୍ଜାବରେ ଭୂତଳ ଜଳସ୍ତର କମିବାରେ ଲାଗିଛି । ଆମେ ଆଉ ଏକ ମରୁଭୂମି ଦେଖିବାକୁ ଚାହୁଁନାହୁଁ । ଏଠାରେ ଧାନ ବଦଳରେ ଅନ୍ୟ କିଛି ଫସଲକୁ ପ୍ରୋତ୍ସାହିତ କରିବା ବହୁତ ଜରୁରୀ ହୋଇପଡିଛି ।

ସେହିପରି ଅଡ-ଇଭେନ ନମ୍ବର ଉପରେ ଶୁଣାଣି କରି ଆପ ସରକାର ଉପରେ ବର୍ଷିଥିଲେ କୋର୍ଟ । କହିଥିଲେ, ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ୟାକ୍ସି ଦିଲ୍ଲୀରେ କିଛି ସମୟ ପାଇଁ ଅଟକି ରହି ପାରିବ କି ? ଟାକ୍ସି ପାଇଁ ଅଡ-ଇଭେନ ଲାଗୁ  କରିବା ପାଇଁ ଆପଣ କହୁଛନ୍ତି । ଏଥିପାଇଁ ଆମ  ଆଦେଶର କ’ଣ ଆବଶ୍ୟକତା ରହିଛି ? ଆପଣ ନିଜ ବୋଝ କୋର୍ଟ ଉପରେ ଲଦିବାକୁ ଚାହୁଁଛନ୍ତି  ।

ସୁପ୍ରିମକୋର୍ଟ  ଆହୁରି କହୁଛନ୍ତି, ଗାଡି ପ୍ରଦୂଷଣ ୧୭ ପ୍ରତିଶତ ଅଟେ । ଆପଣଙ୍କ ଯୋଜନାରେ ଏହାର ମାମୁଲି ପ୍ରଭାବ ରହିଛି । ଯଦି ଆପଣ ଏପରି କରିବାକୁ ଚାହୁଁଛନ୍ତି କରନ୍ତୁ । କାଲି ଆପଣ କହିବେନି ଯେ ସୁପ୍ରିମକୋର୍ଟଙ୍କ ପାଇଁ ପ୍ରଦୂଷଣ କମୁନାହିଁ । ପ୍ରକୃତ ସତ ହେଉଛି, ଲୋକଙ୍କୁ ଭଗବାନ ଭରସା । କେତେବେଳେ ପବନ ତ କେତେବେଳେ ବର୍ଷା ସାହାଯ୍ୟ କରୁଛି । ହେଲେ ସରକାର କିଛି କରୁନାହାନ୍ତି ବୋଲି କହି ବର୍ଷିଥିଲେ କୋର୍ଟ ।

Leave A Reply

Your email address will not be published.