Latest Odisha News

BREAKING NEWS

ମହାରାଷ୍ଟ୍ର ସରକାରକୁ ନେଇ ଆସନ୍ତାକାଲି ଆସିପାରେ ‘ସୁପ୍ରିମ’ ରାୟ

ନୂଆଦିଲ୍ଲୀ: ଗତବର୍ଷ ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଏବଂ କ୍ଷମତା ପରିବର୍ତ୍ତନକୁ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ରାୟ ଆସିପାରେ। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଆସନ୍ତାକାଲି ଏହି ମାମଲାରେ ବେଞ୍ଚ ଏହାର ରାୟ ପ୍ରକାଶ କରିବାର ସମ୍ଭାବନା ରହିଛି। ସମ୍ବିଧାନ ବେଞ୍ଚରେ ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଏମଆର ଶାହା, ଜଷ୍ଟିସ କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପିଏସ ନରସିଂହ ଏହି ଖଣ୍ଡପୀଠରେ ରହିଛନ୍ତି।

ଏହି ମାମଲାରେ ଫେବୃଆରୀ ୧୭ ରୁ ଖଣ୍ଡପୀଠ ବିଭିନ୍ନ ଆବେଦନ ଉପରେ ଶୁଣାଣି ଆରମ୍ଭ କରିଥିଲା। ଏହା ପରେ ମାର୍ଚ୍ଚ ୧୬ ରେ ଶୁଣାଣି ଶେଷ କରିବାବେଳେ କୋର୍ଟ ଏହି ମାମଲାରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଦଳ ପକ୍ଷରୁ ବରିଷ୍ଠ ଓକିଲ ନୀରଜ କିଶାନ କୌଲ, ହରିଶ ସାଲଭେ, ମହେଶ ଜେଠମାଲାନି ଏବଂ ପ୍ରତାପ ସିଂ ପ୍ରମୁଖ ଯୁକ୍ତି ରଖିଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ପ୍ରତିନିଧିତ୍ୱ କରିଥିଲେ। ଅନ୍ୟପକ୍ଷରେ ବରିଷ୍ଠ ଓକିଲ କପିଲ ସିବଲ, ଅଭିଷେକ ମନୁ ସିଂଭି, ଦେବଦତ୍ତ କାମାତ ଏବଂ ଓକିଲ ଅମିତ ଆନନ୍ଦ ତିୱାରୀ ମହାବିକାଶ ଅଘାଡି ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଉଦ୍ଧବ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିବାବେଳେ ଫ୍ଲୋର ଟେଷ୍ଟ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାତିଲ କରାଯିବା ଉଚିତ ବୋଲି କୁହାଯାଇଥିଲା। ଉଦ୍ଧବ ଗୋଷ୍ଠୀ କହିଛନ୍ତି ଯେ ଜୁନ୍ ୨୦୨୨ ର ରାଜ୍ୟପାଳଙ୍କ ନିଷ୍ପତ୍ତି ଗଣତନ୍ତ୍ର ପାଇଁ ବିପଜ୍ଜନକ ଏବଂ ଏହା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ସାଂଘାତିକ। ଏହି ସମୟ ମଧ୍ୟରେ କୋର୍ଟ କହିଛନ୍ତି ଯେ ରାଜ୍ୟପାଳ ତାଙ୍କ କାର୍ଯ୍ୟାଳୟକୁ କୌଣସି ନିର୍ଦ୍ଦିଷ୍ଟ ଫଳାଫଳ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇ ପାରିବେ ନାହିଁ।

Leave A Reply

Your email address will not be published.