ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ମାମଲାରେ ସୁପ୍ରିମକୋର୍ଟ ଆଜି (ଗୁରୁବାର) ରାୟ ପ୍ରଦାନ କରିବେ। ଏହାପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ହିଜାବ ଉପରେ ନିଷେଧାଦେଶ ବନ୍ଦ କରିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହିଜାବ ପ୍ରସଙ୍ଗରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା। ସେପ୍ଟେମ୍ବର ୨୨ ତାରିଖରେ ସୁପ୍ରିମକୋର୍ଟ ଦୀର୍ଘ ଦିନର ଶୁଣାଣି ପରେ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଶୁଣାଣି ୧୦ ଦିନ ଧରି ଚାଲିଥିଲା। ହିଜାବ ବ୍ୟାନ ସମ୍ପର୍କରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ଠିକ ନା ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ।
ସୁପ୍ରିମକୋର୍ଟରେ ୧୦ ଦିନ ଧରି ଏହି ମାମଲାର ଶୁଣାଣି ପରେ ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂସୁ ଧୂଲିଆଙ୍କ ପୀଠ ହିଜାବ ବିବାଦ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ଏନେଇ ଖଣ୍ଡପୀଠ କହିଛନ୍ତି କି ଏବେ ବି ଯେଉଁମାନେ ଲିଖିତ ଦଲିଲ ଦେବାକୁ ଚାହୁଁଛନ୍ତି ସେମାନେ ଦେଇପାରିବେ । ଗତ ଶୁଣାଣି ପୂର୍ବରୁ ହିଜାବ ବ୍ୟାନ ବିବାଦରେ ଆବେଦନକାରୀଙ୍କୁ ଏକ ଘଣ୍ଟା ମଧ୍ୟରେ ଯୁକ୍ତି ଶେଷ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ।
କର୍ଣ୍ଣାଟକ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ୨୦୨୧ ପର୍ଯ୍ୟନ୍ତ କୌଣସି ଝିଅପିଲା ହିଜାବ ପିନ୍ଧି ସ୍କୁଲ ଆସୁ ନ ଥିଲେ। ବିଦ୍ୟାଳୟଗୁଡ଼ିକର ୟୁନିଫର୍ମ ପିନ୍ଧିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା। ଏହାପରେ ସୋସିଆଲ ମିଡିଆରେ କିଛି ସଂଗଠନ ଝିଅପିଲାଙ୍କୁ ହିଜାବ ପିନ୍ଧିବା ପାଇଁ ପ୍ରବର୍ତ୍ତାଇଥିଲେ। ଏହି ଷଡଯନ୍ତ୍ରର ଶିକାର ହୋଇଥିଲେ ଝିଅପିଲା। ସେହିପରି ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ହିଜାବ ପିନ୍ଧିବା ପରି ଧାର୍ମିକ ଅଭ୍ୟାସ ପାଳନ କରିବା ଦ୍ୱାରା ଏକତା ଓ ସମାନତା ବ୍ୟାହତ ହୋଇଥାଏ।
ସୂଚନା ଥାଉକି କର୍ଣ୍ଣାଟକ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ ରାଜ୍ୟ ସରକାର ହିଜାବ ପ୍ରତିବନ୍ଧକ ବିବାଦ କୌଣସି ଧାର୍ମିକ ଆସ୍ଥା ଉପରେ କଟକଣା ଲଗାଇ ନାହାଁନ୍ତି। ହିଜାବ ପ୍ରତିବନ୍ଧକ ଶିକ୍ଷାନୁଷ୍ଠାନ ବାହାରେ ଲଗାଯାଇନାହିଁ କିନ୍ତୁ ଏହାକୁ ପିନ୍ଧି ଶ୍ରେଣୀଗୃହକୁ ଯିବା ମନା ଅଛି।
Comments are closed.