Latest Odisha News

BREAKING NEWS

ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ: ଅନ୍‌ଲାଇନରେ ଚାଲିବ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନଲାଇନରେ ଚାଲିବ ସୁପ୍ରିମ କୋର୍ଟ। ଦିଲ୍ଲୀ ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି  ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଅନଲାଇନ ଜରିଆରେ ସମସ୍ତ କୋର୍ଟଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ଆଇନଜୀବୀ ଏବଂ ଲୋକଙ୍କୁ ଅନୁମତି ଦେଇଛନ୍ତି। ଏନେଇ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ସୂଚନା ଦେଇଛନ୍ତି।  କିଛି ବରିଷ୍ଠ ଆଇନଜୀବୀଙ୍କ ଅନୁରୋଧ କ୍ରମେ ପ୍ରଧାନ ବିଚାରପତି ଏହି ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ବେଞ୍ଚରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି କପିଲ ସିବଲ ଏବଂ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣ ହାଜର ହୋଇଥିଲେ। ଦିଲ୍ଲୀ ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସେ ସମସ୍ତ କୋର୍ଟର କାର୍ଯ୍ୟ ଅନଲାଇନ ମୋଡରେ କରିବାକୁ ଅନୁରୋଧ କରିଥିଲେ। ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ଯଥାସମ୍ଭବ ଭର୍ଚୁଆଲ ଶୁଣାଣି କରିବାକୁ ପ୍ରଧାନ ବିଚାରପତି କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇଦେବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ। ଏପରିକି ଏକ୍ୟୁଆର୍‌ ୪୫୦ରୁ ତଳକୁ ଖସିଲେ ମଧ୍ୟ କଟକଣା ଜାରି ରହିବ। ନିର୍ଦ୍ଦେଶନାମା ଅନୁପାଳନ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବା ପାଇଁ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଦିଲ୍ଲୀ-ଏନ୍‌ସିଆର୍‌ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ବାୟୁ ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଆସିଥିଲେ ମଧ୍ୟ ସରକାର ଏହାର ପ୍ରତିକାର ପାଇଁ କଠୋର ପଦକ୍ଷେପ ନେବାରେ ବିଳମ୍ବ କରିଥିବାରୁ ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଅଗଷ୍ଟାଇନ୍‌ ଜର୍ଜ ମସିହଙ୍କ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ସୂଚନାଯୋଗ୍ୟ, ବାୟୁ ପ୍ରଦୂଷଣ ରୋକିବା ପାଇଁ ଜିଆର୍‌ଏପି ପ୍ରଥମେ ୨୦୧୭ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିଲା। ବାୟୁ ଗୁଣବତ୍ତା ଅନୁଯାୟୀ ଏକ୍ୟୁଆଇ ୨୦୧ରୁ ୩୦୦ ମଧ୍ୟରେ ରହିଲେ ଜିଆର୍‌ଏପିର ପ୍ରଥମ ପର୍ଯ୍ୟାୟ, ୩୦୧ରୁ ୪୦୦ ରହିଲେ ଦ୍ୱିତୀୟ ପର୍ଯ୍ୟାୟ, ୪୦୧ରୁ ୪୫୦ ରହିଲେ ତୃତୀୟ ପର୍ଯ୍ୟାୟ ଏବଂ ୪୫୦ ଟପିଲେ ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥାଏ। ରବିବାର ବାୟୁମାନ ୪୫୭ରେ ପହଞ୍ଚିବା ପରେ ସୋମବାର ସକାଳ ୮ରୁ ଜିଆର୍‌ଏପି ଚତୁର୍ଥ ପର୍ଯ୍ୟାୟ ଲାଗୁ କରିବା ପାଇଁ ସିଏକ୍ୟୁଏମ୍‌ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଦିଲ୍ଲୀରେ କେବଳ ବିଦ୍ୟୁତ୍‌, ସିଏନ୍‌ଜିରେ ଚାଲୁଥିବା ଗାଡ଼ି ଏବଂ ବିଏସ୍‌-୬ ଡିଜେଲ ଗାଡ଼ିକୁ ଅନୁମତି ମିଳିବ।

Leave A Reply

Your email address will not be published.