Latest Odisha News

BREAKING NEWS

ବିଜେଡିରେ ଚାଲିଛି କ’ଣ ? ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ଟେନସନରେ ନବୀନ

ଭୁବନେଶ୍ୱର : ଗୋଟିଏ ଦଳ ସରକାରରୁ ଗଲା ପରେ ସେ ଦଳକୁ କେତେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼େ ଏବେ ପୂରା ଓଡ଼ିଶା ଦେଖୁଛି। ଦୀର୍ଘ 25 ବର୍ଷ ଓଡ଼ିଶାରେ କ୍ଷମତାରେ ରହିଥିବା ବିଜେଡି ଏବେ ତୀବ୍ର ଗୋଷ୍ଠୀ କନ୍ଦଳ ଦେଇ ଗତି କରୁଛି। ଜିଲ୍ଲା ପରେ ଜିଲ୍ଲାକୁ ଡେଇଁ ଚାଲିଛି ଏହି ଗୋଷ୍ଠୀ କନ୍ଦଳ। ସବୁଠାରୁ ବଡ଼ କଥା ହେଉଛି ପୂର୍ବରୁ ଯେଉଁ ନେତାମାନେ ଏପରି କନ୍ଦଳକୁ ସମାଧାନ କରୁଥିଲେ ଏବେ ସେମାନେ ମଧ୍ୟ ଏହି ଗୋଷ୍ଠୀ କନ୍ଦଳରେ ଜଡ଼ିତ ରହୁଛନ୍ତି। ଭୁବନେଶ୍ୱର ବିଜେଡି କନ୍ଦଳ ତ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ଏବେ ଦଳ ସୁପ୍ରିମୋଙ୍କ ଟେନସନ ବଢ଼ାଇଛି ବ୍ରହ୍ମପୁର ବିଜେଡ଼ିରେ ଗୋଷ୍ଠୀ କନ୍ଦଳ । ଯେତେ ଲୁଚାଇଲେ ମଧ୍ୟ ଲୁଚୁନାହିଁ। ବିଜେଡ଼ିର ସଦସ୍ୟତା ଅଭିଯାନ ବୈଠକରୁ ତୀବ୍ର ହୋଇଛି ଏହି କନ୍ଦଳ । ଅଲଗା ଅଲଗା ବୈଠକ କରିଛନ୍ତି ବିକ୍ରମ ଓ ଚ୍ୟାଉ ଗୋଷ୍ଠୀ । ଗୋଟିଏ ଦିନରେ ଓ ଗୋଟିଏ ପ୍ରସଙ୍ଗରେ ବିଜେଡିର ଦୁଇଟି ବୈଠକୁ ନେଇ ସରଗରମ ଗଞ୍ଜାମ ରାଜନୀତି ।

ସୂଚନା ଅନୁସାରେ ସଦସ୍ୟତା ସଂଗ୍ରହ ଅଭିଯାନ ପାଇଁ ସୋମବାର ବ୍ରହ୍ମପୁର ଆସିଥିଲେ ବିଜେଡ଼ିର ଡ଼ିଜିଟାଲ ସମ୍ପାଦିକା ଲଗ୍ନଦୀପା ମିଶ୍ର। ସାର୍କିଟ ହାଉସରେ ପ୍ରଥମ ଲଗ୍ନଦୀପାଙ୍କୁ ସ୍ୱାଗତ କରିଥିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଗୋଷ୍ଠୀ। ବୈଠକରେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସହ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ବିବେକ ରେଡ଼ିଙ୍କ ସମେତ କିଛି କର୍ପୋରେଟର ସାମିଲ ହୋଇଥିଲେ। ଏହାପରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରିମ ପଣ୍ଡାଙ୍କ ଘରେ ପୁଣି ବସିଥିଲା ସଦସ୍ୟତା ସଂଗ୍ରହ ଅଭିଯାନ ବୈଠକ। ସେଠାରେ ମଧ୍ୟ ବିକ୍ରମଙ୍କ ସମେତ ବହୁ ବିଜେଡ଼ି କର୍ପୋରେଟର ଯୋଗ ଦେଇଥିଲେ। ବିଜେଡିର ଦୁଇଟି ସମାନ୍ତରାଳ ବୈଠକକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା।

ଗଣମାଧ୍ୟମରେ ଦୁଇଟି ପୃଥକ ପୃଥକ ବୈଠକକୁ ନେଇ ମୁହଁ ଖୋଲିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ସେ କହିଛନ୍ତି, ସର୍କିଟ ହାଉସରେ ସଦସ୍ୟତା ସଂଗ୍ରହ ଅଭିଯାନ ସଂପର୍କରେ ବୈଠକ ହୋଇଥିଲା। ତେବେ ବ୍ୟକ୍ତିଗତ କାରଣ ଯୋଗୁଁ କିଛି କର୍ପୋରେଟର ଆସିନଥିଲେ। ବିକ୍ରମ ପଣ୍ଡା ଗୋପାଳପୁର ନିର୍ବାଚନ ମଣ୍ଡଳୀ ପାଇଁ ସଦସ୍ୟତା ସଂଗ୍ରହ ଅଭିଯାନ ବୈଠକ କରିଥିଲେ। ବିଜେଡିର କିଛି କର୍ପୋରେଟରଙ୍କୁ ବିକ୍ରମ ଜଳପାନ କରିବାକୁ ନିଜ ଘରକୁ ଡ଼ାକିଥିଲେ ବୋଲି ସେ କହିଛନ୍ତି । ଦଳରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ, ବୋଲି ସଫସଫା କହିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି ।

ସବୁଠାରୁ ବଡ଼ କଥା ହେଉଛି ବ୍ରହ୍ମପୁର ବିଜେଡିରେ ଗୋଷ୍ଠୀ ବିବାଦ ପ୍ରଥମ ନୁହେଁ। ମାସେ ହେଲାଣି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଛି କନ୍ଦଳ। ନିଜ ଦଳର ମେୟରଙ୍କ କାର୍ଯ୍ୟକଳାପକୁ ବିରୋଧ କରି କିଛି ବିଜେଡି କର୍ପୋରେଟ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିଲେ । ଏବେ ବିଜେଡି ପାଇଁ ସବୁଠାରୁ ଜଟିଳ ହେଉଛି ଏପରି ଗୋଷ୍ଠୀକନ୍ଦଳ । ଏପଟେ ଅନେକ ନେତା ମଧ୍ୟ ବିଜେପି ମୁହାଁ ହେଉଛନ୍ତି। ନିକଟରେ ଦୁଇ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ିବା ପରେ ଆହୁରି କିଛି ସାଂସଦ ବିଜେପିର ସମ୍ପର୍କ ଥିବା କୁହାଯାଉଛି। ଏହି କଥା ଯଦି ସତ ହୁଏ ତେବେ ଆଗାମୀ ଦିନରେ ବିଜେଡି ପାଇଁ ଏହା ଶୁଭଙ୍କର ହେବ ନାହିଁ।

Leave A Reply

Your email address will not be published.