Latest Odisha News

BREAKING NEWS

ଦ୍ଵାଦଶ ଜଗଦୀଶ କଥା ସମ୍ମାନ ପାଇବେ ସୁପ୍ରିୟା ପଣ୍ଡା;ଶାନ୍ତନୁଙ୍କୁ ‘ଯୁବସମ୍ମାନ’

ଭୁବନେଶ୍ୱର: ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡସଟର୍‍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ୨୦୨୬ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଚଳିତବର୍ଷ ବିଶିଷ୍ଟ ଗାଳ୍ପିକା ତଥା ଔପନ୍ୟାସିକା ସୁପ୍ରିୟା ପଣ୍ଡା ମନୋନୀତ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର, ଫଳକ ଓ ଉପଢ଼ୌକନ ସହ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

ସେହିପରି ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟ ବିବେଚିତ ହୋଇଛନ୍ତି ଗାଳ୍ପିକ ଶାନ୍ତନୁ କୁମାର ନାୟକ। ପୁରସ୍କାର ବାବଦରେ ତାଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

୨୦୧୪ରୁ ପ୍ରଦାନ କରାଯାଇଆସୁଥିବା ଜଗଦୀଶ କଥା ସମ୍ମାନ ପୂର୍ବରୁ ପ୍ରକାଶ ମହାପାତ୍ର, ସଦାନନ୍ଦ ତ୍ରିପାଠୀ ଏବଂ ରଜନୀକାନ୍ତ ମହାନ୍ତି, ଶ୍ୟାମାପ୍ରସାଦ ଚୌଧୁରୀ, ପରେଶ ପଟ୍ଟନାୟକ, ଅଜୟ ସ୍ୱାଇଁ, ନିବାରଣ ଜେନା, ଭୀମ ପୃଷ୍ଟି, ପୁଷ୍ପାଞ୍ଜଳି ନାୟକ, ଦେବବ୍ରତ ମଦନରାୟ, ପବିତ୍ର ପାଣିଗ୍ରାହୀଙ୍କ ପରି ଖ୍ୟାତନାମା କଥାକାରମାନେ ପାଇଥିବାବେଳେ ଜଗଦୀଶ ଯୁବ ସମ୍ମାନ ପାଇଛନ୍ତି ଅମରେଶ ବିଶ୍ୱାଳ, ସ୍ୱାଗତିକା ସ୍ୱାଇଁ, ନେତାଜୀ ଅଭିନନ୍ଦନ, ବିରଜା ରାଉତରାୟ, ରାଜେନ୍ଦ୍ର କୁମାର ରାଉଳ, ଶକ୍ତି ମହାନ୍ତି, ମଣିରାମ ଜେନା, ସୁଶୀଲ ପ୍ରଧାନ, ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଏବଂ ସୁନନ୍ଦା ପ୍ରଧାନ।

ଆଗାମୀ ଫେବୃଆରୀ ୧୭ତାରିଖ ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରଠାରେ ଆୟୋଜିତ ହେବାକୁଥିବା ‘ଜଗଦୀଶ ଜୟନ୍ତୀ’ ଉତ୍ସବରେ ବିଶିଷ୍ଟ ସମାଲୋଚକ ଓ ଗାଳ୍ପିକ ପ୍ରଫେସର କଇଳାଶ ପଟ୍ଟନାୟକ ଏବଂ ବରିଷ୍ଠ ଗାଳ୍ପିକ ସତ୍ୟ ମିଶ୍ର ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜଗଦୀଶ-ଗଳ୍ପପ୍ରେମୀ ଓ ସାହିତ୍ୟାନୁରାଗୀମାନେ ଏହି ଉତ୍ସବରେ ଯୋଗଦେବାକୁ ଟ୍ରଷ୍ଟ୍‍ର ଅଧ୍ୟକ୍ଷା ଡ. ସରୋଜିନୀ ସାହୁ ଏବଂ ସଂପାଦକ ସରୋଜ ବଳ ବିଶେଷ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.