Latest Odisha News

BREAKING NEWS

ଓଡିଶା ବିଧାନସଭାର ନୂଆ ବାଚସ୍ପତି ସୁରମା ପାଢୀ

ଭୁବନେଶ୍ବର: ବାଚସ୍ପତି ଭାବେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ । ବାଚସ୍ପତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଛୀ ସୁରମା ପାଢୀଙ୍କ ନାଁ ପ୍ରସ୍ତାବ ଦେବା ପରେ ଏହାକୁ ସମର୍ଥନ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ପରେ ସର୍ବସମ୍ମତି କ୍ରମେ ନିର୍ଦ୍ବନ୍ଦ୍ବରେ ଓଡିଶା ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚିତ ହୋଇଛନ୍ତି ସୁରମା  । ଏହା ପରେ କାମଚଳା ବାଚସ୍ପତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଠାରୁ ଦାୟିତ୍ବ ଗ୍ରହଣ କରି  ବାଚସ୍ପତି ପଦ ଅଳଙ୍କୃତ କରିଛନ୍ତି । ଓଡିଶାର ଦ୍ବିତୀୟ ମହିଳା ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ ପରେ ବିଧାନସଭା ଗୃହ ପରିଚାଳନା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକରେ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ସୁରମା ପାଢୀ । ଆଉ ଆଜି ଅର୍ଥାତ୍ ଗୁରୁବାର ଓଡିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ରଣପୁର ବିଧାୟିକା ସୁରମା ପାଢୀ । ଯାହାକୁ ନେଇ ଭାବବିହ୍ବଳ ହୋଇପଡିଛନ୍ତି ବାଚସ୍ପତି ସୁରମା । ବାଚସ୍ପତି ଦାୟିତ୍ବ ଗ୍ରହଣ କରି ପ୍ରଥମ ଥର ଗୃହ ପରିଚାଳନା କରିବା ପରେ ସେ ନିଜ ଅଭିଭାଷଣରେ କହିଛନ୍ତି, ମୁଁ କେବେ କଳ୍ପନା ବି କରିନଥିଲି ଯେ ଦିନେ ବାଚସ୍ପତି ହୋଇ ଗୃହ ସମ୍ଭାଳିବି । ଏହାସହିତ ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ସୁରମା ।

ରାଜ୍ୟ ବିଜେପିର ଅନ୍ୟତମ ମହିଳା ଚେହେରା ସୁରମା ପାଢୀ ରଣପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ୨୦୦୪ ମସିହାରେ ପ୍ରଥମ ଥର ପାଇଁ ରଣପୁରରୁ ଜିତି ବିଧାନସଭା ଗୃହରେ ପାଦ ରଖିଥିଲେ ସୁରମା । ୨୦୦୪ରୁ ୨୦୦୯ ଯାଏ ସେ ବିଧାୟିକା ରହିଥିଲେ । ଦଳର ବିଭିନ୍ନ ସାଂଗଠନିକ କାମରେ ସବୁବେଳେ ଆଗରେ ରହିଛନ୍ତି ସୁରମା। ଦଳର ବରିଷ୍ଠ ନେତ୍ରୀ ସୁରମା ପାଢୀ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ରଖିଛନ୍ତି । ଏହା ସହିତ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ସମବାୟ ମନ୍ତ୍ରୀ ମଧ୍ୟ ରହିଥିଲେ । ଗୁରୁବାର ସେ ଓଡିଶା ବିଧାନସଭାର ନୂଆ ବାଚସ୍ପତି ଦାୟିତ୍ବ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.