ଅନୁଗୁଳ: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆଜି ତାଙ୍କୁ ସୁନ୍ଦରଗଡ଼ର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ। ଗତକାଲି ଭୁବନେଶ୍ୱର, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
ଚଢାଉରେ ସୁରେନ୍ଦ୍ର ବେହେରାଙ୍କ ନିକଟରୁ ଦୁଇ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱରରୁ ୨ଟି ଫ୍ଲାଟ, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ, ନଗଦ ୨.୩୩ ଲକ୍ଷ ଟଙ୍କା, ପ୍ରାୟ ୫୪ ଲକ୍ଷ ଟଙ୍କା ଜମା ଇତ୍ୟାଦି ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଯାହାର ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରି ନଥିଲେ। ସୁରେନ୍ଦ୍ର ବେହେରାଙ୍କ ଘରେ ସ୍ୱତନ୍ତ୍ର ବିଚାରପତି, ସୁନ୍ଦରଗଡ଼, ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
ଏହି ସମ୍ପର୍କରେ, ଅନୁଗୁଳର ଜଳସେଚନ ବିଭାଗରେ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ବିରୋଧରେ ରାଉରକେଲା ଭିଜିଲାନ୍ସ ପିଏସ୍ ମାମଲା ନମ୍ବର ୯/୨୦୨୫ ରୁଜୁ କରିଛି। ଗତକାଲି ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ, ଗଞ୍ଜାମର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
Comments are closed.