ସୂର୍ଯ୍ୟଦେଓଙ୍କ ନିୟମିତ ସ୍ତମ୍ଭ: ଗୀତ ପଛର ଗପ
ଏମତି ବି ହୁଏ ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ…
ସୂର୍ଯ୍ୟଦେଓ
କଟକିଆ ତାରକସିଆ
ଗୋଟିଏ ଗୋଟିଏ ଗୀତର ଭାଗ୍ୟ ତିଆରି ସରିଥାଏ ବହୁୁ ଆଗରୁ । ସେମିତି ଗୀତ ତିଆରି ଆଗରୁ ହିଁି ଗୀତର ଭାଗ୍ୟ ଲେଖା ବି ସରିଥାଏ । ଖାଲି ଠିକ୍ ବେଳରେ ଠିକ୍ ମେଳରେ ଗୀତ ଜମକ ଖାଇଯାଏ । ଏମତି ବି ହୁଏ ଗୀତ ପାଇଁ ଲାଇନ୍ ବା ଭାବଟିଏ କାହିଁ କେତେ ଆଗରୁ ସାଇତା ହୋଇ ରହିଥାଏ । ଠିକଣା ସମୟରେ ସେ ଶବ୍ଦଟି ଖଂଜା ହୁଏ । ଏଥର ଗୀତ ପଛର ଯେଉଁ ଗପ, ସେଥିରେ ଏମିତ ଲାଇନ୍ ଆଉ ଭାବ ଅଛି ଯାହା ଗୀତ ତିଆରିର ବହୁ ପୂର୍ବରୁ ତିଆରି ହୋଇ ରହିଥିଲା । ଠିକଣା ସମୟରେ ଯୋଡ଼ାଗଲା । ସେହି ଯୋଡ଼ାଯୋଡ଼ି, ଖଂଜାଖଂଜିର ଗପର ଚମକ ଗୀତଠୁ ବି ଅଧିକ । କେବଳ ଦୁଇଟି ଶବ୍ଦ ଓ ଗୋଟିଏ ଲାଇନ୍ ଉପରେ ଠିଆ ହୋଇ ରହିଥିଲା ସେ ଗୀତ । ଲାଇନ୍ ଥିଲା ‘କଟକିଆ ତାରକସିଆ’ ଓ ଏହାକୁ ଲେଖିଥିଲେ ସେତେବେଳର ସ୍ୱରୂପ ନନ୍ଦନ ଓ ଏବେର ସ୍ୱରୂପ ନାୟକ ।
ଆଲୋ କଳା ଶାରୀ କିଏ ତୋର ଶୁଆ
‘ସଂସାର’ରେ ମୁଁ ‘ପବନା’ ଚରିତ୍ରରେ ଅଭିନୟ କରିଥିଲି, ଗୋଟିଏ ଗୀତ ବି ଲେଖିଥିଲି ‘ଆଲୋ କଳାଶାରୀ କିଏ ତୋର ଶୁଆ’ ।ଏ ଗୀତର ଗୋଟିଏ ଇତିହାସ ଅଛି । ମୋର ଗୋଟିଏ ପାରୋଡି ଥିଲା ‘ମୁଁ ଅଟେ କଟକିଆ ବଡ଼ ପେଂଚୁଆ ତାରକସିଆ’ । ସେଇଟା ମୁଁ ‘ମେରା ନାମ ହେ ଚମେଲି’ ସ୍ୱରରେ ଲେଖିଥିଲି । ଅକ୍ଷୟ ମହାନ୍ତି ତାକୁ ଶୁଣିଥିଲେ । ତାଙ୍କୁ ‘କଟକିଆ ତାରକସିଆ’ଲାଇନ୍ ଭଲ ଲାଗିଥିଲା । କହିଲେ, ଏ ଲାଇନ୍ ରଖିଥା, କାମରେ ଆସିବ । ସତରେ କାମରେ ଆସିଲା । ମୋତେ ‘ସଂସାର’ ବେଳେ କହିଲେ’ତୁ ଗୋଟିଏ ଗୀତ ଲେଖ୍’ । ମୁଁ ଲେଖିଲି ‘ଆଲୋ କଳାଶାରୀ’, ଯେଉଁଥିରେ କଟକିଆ ତାରକସିଆ ଲାଗିଲା । ଅକ୍ଷୟ ମହାନ୍ତିଙ୍କ ସାଙ୍ଗରେ ଯିଏ ଗୀତ ଲେଖିଛି ସେ ଜାଣିଛି, ପ୍ରାୟ ଅଧେ ଗୀତ ସିଏ ଲେଖି ଦିଅନ୍ତି । ମୋର ବି ସେୟା ହେଲା । ଅକ୍ଷୟ ମହାନ୍ତି ନିଜେ ବି ‘ସଂସାର’ରେ ଗୀତ ଲେଖିଥିଲେ ‘ତୋର ଫୁସୁଲା ଫୁସୁଲି କଥା ଶୁଣିବିନି ଭଲା, ଯିବି ପଛେ ଚାକିରି କରି ରାଉରକେଲା’ । ଏ ଗୀତ ଆଇଡିଆ କଟକ ସାଇ ବସ୍ତିିରୁ ଆସିଥିଲା । ସେତେବେଳେ ଦୋଳ ବେଳେ କଟକ ସାଇ ବସ୍ତିରେ ‘ସଂଗୀନି ରାସ ରଙ୍ଗିନୀ ହେଲେ ପହିଲା, ନେଇଯିବି ତତେ ମୁଁ ରାଉରକେଲା’ ଗୀତକୁ ଟୋକାଏ ବେଶ୍ ଜୋଶ୍ରେ ଗାଉଥିଲେ ।
ଏ ଗୀତ କିଏ ଲେଖିଥିଲେ ଜଣାନାହିଁ କିନ୍ତୁ ‘କୌନ ପରଦେଶୀ ତେରା ଦିଲ୍ ଲେଗେୟା’ ସ୍ୱରରେ ଗୀତଟି ବନ୍ଧା ହୋଇଥିଲା । ତାକୁ ମୁଁ ଶୁଣିଥିଲି, ଅକ୍ଷୟ ମହାନ୍ତି ବି ଶୁଣିଥିଲେ । ସେଠୁ ଆସିଲା ‘ରାଉରକେଲା’ ଶବ୍ଦ । ସେତେବେଳେ ରାଉରକେଲାରେ ଚାକରି ମିଳୁଥିଲା ଆଉ ଘର ଛାଡି ସେଠିକି ଚାକରି ପାଇଁ ଯିବାକୁ ଟୋକାଙ୍କୁ ବାଧୁଥିଲା । ତେବେ ‘ସଂସାର’ଗୀତ ରିଲିଜ୍ ହେଲା ପରେ ଲୋକେ ଭାବିଲେ ଯେ ‘ଆଲୋ କଳାଶାରୀ’ ଅକ୍ଷୟ ମହାନ୍ତି ଲେଖିଛନ୍ତି ଆଉ ମୁଁ ‘ତୋର ଫୁସୁଲା ଫୁସୁଲି’ ଗୀତଟି ଲେଖିଛି । ‘ସଂସାର’ର ଆଉ ଏକ ଗୀତ ଥିଲା ‘ଜାଗେ ଜୀବନରେ, ସବୁଜ ସପନ’, ଯାହାକୁ ମୋ ବଡ ଭାଇ ସାରଦା ପ୍ରସନ୍ନ ନାୟକ ଲେଖିଥିଲେ । ସେ ଗୀତର ସ୍ୱର ଏକ ଗୁଜୁରାତି ଭଜନ ‘ଅମ୍ବେ ମେୱାରାବେ ଗୋକଲ ଗାମନା’ରୁ ଆସିଥିଲା । ଭଜନଟି ଶିରିଷ ଗାନ୍ଧୀ ଆମକୁ ଶୁଣାଇଥିଲେ । ପାଂଚ ବର୍ଷ ଆଗରୁ ‘କିଏ କାହାର’ ଗୀତ ହିଟ୍ ହେବା ପରେ ବି ଅକ୍ଷୟ ମହାନ୍ତିଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତେ ଏକଘରକିଆ କରିଦେଇଥିଲେ ।
‘ସଂସାର’ ସଂଗୀତ ନିର୍ଦ୍ଦେଶନା ଦେବା ପାଇଁ ପ୍ରଥମ ପସନ୍ଦ ଥିଲେ ଭୁବନେଶ୍ୱର ମିଶ୍ର । ଅକ୍ଷୟ ମହାନ୍ତିଙ୍କ କହିବା ଅନୁସାରେ ତାଙ୍କୁ ନେଇ ମୁଁ ଗୌର ଘୋଷଙ୍କ କତିକୁ ଯାଇଥିଲି । ସେଠି ସେ ଗୀତ ଏମିତି ଗାଉ ଗାଉ ଗାଇଲେ ‘କଢ଼ିରେ କଢ଼ି ମୋର ଗୋଲାପ କଢ଼ି’ ଓ ‘ଢେଉ ଢେଉକା ପାହାଡ ତଳେ’ । ଗୌର ଘୋଷ ଶୁଣିଲେ ଆଉ ସାଙ୍ଗେ ସାଙ୍ଗେ ‘ଢେଉ ଢେଉକା ପାହାଡ ତଳେ’ ଗୀତ ‘ସଂସାର’ରେ ରହିଲା । ଆଉ ହିରୋଙ୍କ ପାଇଁ ସେଥିରେ ଅକ୍ଷୟ ମହାନ୍ତି ପ୍ରଥମ କରି ଭଏସ୍ ଦେଲେ । ଆଗରୁ ଫିଲ୍ମରେ ତାଙ୍କୁ କମେଡି କି ନିୟତି ଗୀତ ଗାଇବା ପାଇଁ ଦିଆଯାଉଥିଲା । ସେଇ ‘ଢ଼େଉଢ଼େଉକା’ ଗୀତକୁ ତୃପ୍ତି ଦାସ ଆଉ ଗୀତା ପଟ୍ଟନାୟକ ଗାଇଥିଲେ । କିନ୍ତୁ ଅକ୍ଷୟଙ୍କ ମନ ମାନିଲା ନାହଁ । ନିର୍ମଳା ମିଶ୍ରଙ୍କୁ ନେଇ ସେ ଗୀତ ଡବ୍ ହେଲା ।
ଆଲୋ କଳାଶାରୀ!
ସଂସାର, ୧୯୭୩
ସଂଗୀତ: ଅକ୍ଷୟ ମହାନ୍ତି
ଗୀତ: ସ୍ୱରୂପ ନନ୍ଦନ ନାୟକ
ଗାୟନ: ତୃପ୍ତି, ଗୀତା, ଜୟଶ୍ରୀ ଓ ମୀରା
ପ୍ରଥମ ନାୟିକା: ଆଲୋ କଳାଶାରୀ!
କିଏ ତୋର ଶୁଆ
ଆଲୋ କଳାଶାରୀ!
କିଏ ତୋର ଶୁଆ
ଆହା! ବର ସେ’ ତ କଲକତିଆ
ବର ସେ’ ତ କଲକତିଆ
ସମବେତ: ବର ସେ’ ତ କଲକତିଆ
ବର ସେ’ ତ କଲକତିଆ
ଦ୍ୱିତୀୟ ନାୟିକା: ଆଲୋ ସୁନାଫୁଲ!
କିଏ ତୋ ବଣିଆ
ଆଲୋ ସୁନାଫୁଲ!
କିଏ ତୋ ବଣିଆ
ସେ ତ କଟକିଆ ତାରକସିଆ
ସେ ତ କଟକିଆ ତାରକସିଆ
ସମବେତ: ସେ’ ତ କଟକିଆ ତାରକସିଆ
ସେ’ ତ କଟକିଆ ତାରକସିଆ
ପ୍ରଥମ ନାୟିକା: ପାଦେ ଅଳତା
କାନେ କାନ ଝୁମୁକା
ପାଦେ ଅଳତା
କାନେ କାନ ଝୁମୁକା
ମଥାରେ ସିନ୍ଦୂର ଟୋପା
ନାଇ କଜଳ ଆଖି କରି ସଜଳ
ନାଇ କଜଳ ଆଖି କରି ସଜଳ
ବେଦୀକୁ ଯିବୁ ନଇଁ ନଇଁକା
ଆଲୋ! ବେଦୀକୁ ଯିବୁ ନଇଁ ନଇଁକା
ପରଦେଶେ ନେବ ସେ ପରବାସିଆ
ପରଦେଶେ ନେବ ସେ ପରବାସିଆ
ଆହା ନିଶ ଯା’ର ପ୍ରଜାପତିଆ
ଆହା ନିଶ ଯା’ର ପ୍ରଜାପତିଆ
ସମବେତ: ନିଶ ଯା’ର ପ୍ରଜାପତିଆ
ନିଶ ଯା’ର ପ୍ରଜାପତିଆ
ଦ୍ୱିତୀୟ ନାୟିକା: ଦେଖି ଯାତକ
କହେ ବୁଢ଼ା ନାହାକ
ଦେଖି ଯାତକ
କହେ ବୁଢ଼ା ନାହାକ
ଆରମାସେ ବାହାଘର
ମିଠା କଥାରେ କିଣିନେବ ମନରେ
ମିଠା କଥାରେ କିଣିନେବ ମନରେ
ବାନ୍ଧିବୁ ଯା’ ସଙ୍ଗେ ଘର
ଆହା! ବାନ୍ଧିବୁ ଯା’ ସଙ୍ଗେ ଘର
ଚାନ୍ଦ ଦେଶେ ନେବ
ତୁ ଚନ୍ଦ୍ରଉଦିଆ
ଚାନ୍ଦ ଦେଶେ ନେବ
ତୁ ଚନ୍ଦ୍ରଉଦିଆ
ହସ ଯା’ର ଲକ୍ଷେ ଟଙ୍କିଆ
ହସ ଯା’ର ଲକ୍ଷେ ଟଙ୍କିଆ
ସମବେତ: ହସ ଯା’ର ଲକ୍ଷେ ଟଙ୍କିଆ
ହସ ଯା’ର ଲକ୍ଷେ ଟଙ୍କିଆ
ହସ ଯା’ର ଲକ୍ଷେ ଟଙ୍କିଆ
ହସ ଯା’ର ଲକ୍ଷେ ଟଙ୍କିଆ
ଫଟୋ କ୍ୟାପସନ୍: ସଂସାର ଗୀତ ରେକର୍ଡିଂ ସମୟରେ ଡିଡୁ ପାତ୍ର, ଅକ୍ଷୟ ମହାନ୍ତି, ତୃନ୍ତି ଦାସ, ପାର୍ବତୀ ଘୋଷ ଓ ଗୀତା ପଟ୍ଟନାୟକ, ପଛରେ ସ୍ୱରୂପ ନନ୍ଦନ
Comments are closed.