ମୁମ୍ବାଇ: ଦିନିକିଆ ବିଶ୍ୱକପ କ୍ରିକେଟର ସମାପ୍ତି ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ରିପୋର୍ଟ ମୁତାବକ ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇପାରେ । ସିନିୟର ଖେଳାଳିଙ୍କ ବିଶ୍ରାମ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଯୋଗୁ ତାଙ୍କୁ ଏହି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ଅବଶ୍ୟ ହାର୍ଦ୍ଦିକ ଅନୁପସ୍ଥିତ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଏନସିଏ ମୂଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ ଏହି ସିରିଜ ପାଇଁ କୋଚ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଦିନିକିଆ ବିଶ୍ୱକପ ପରେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବ । ଏହି ଟି୨୦ ସିରିଜରେ ସଞ୍ଜୁ ସାମସନ, ରିତୁରାଜ ଗାଏକ୍ୱାଡ, ୟଶସ୍ୱୀ ଜୈସୱାଲ, ତିଳକ ବର୍ମା ଓ ରିଙ୍କୁ ସିଂଙ୍କ ପରି ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯିବ ।
ସେହିପରି ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସାମି, ଅର୍ଶଦୀପ ସିଂ, ଉମରାନ ମଲିକ, ମୁକେଶ କୁମାର ଓ ଆଭେଶ ଖାଁ ପେସ ବୋଲିଂ ଏବଂ ରବି ବିଶ୍ନୋଇ, ୱାଶିଂଟନ ସୁନ୍ଦର ଓ ୟୁଜଭେନ୍ଦ୍ର ଚହଲ ସ୍ପିନ ବିଭାଗ ଦାୟିତ୍ୱ ତୁଲାଇ ପାରିବେ । ରୋହିତ ଶର୍ମା, ବିରାଟ କୋହଲି ଏବଂ ଅନ୍ୟ ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ କିପରି ପ୍ରଦର୍ଶନ କରୁଛନ୍ତି ସେଥିପ୍ରତି ଚୟନ କମିଟି ନଜର ରଖିବେ । ଏହା ପରେ ଟି୨୦ ବିଶ୍ୱକପ ପାଇଁ ଦଳ ଚୟନ କରିବାରେ ସହାୟ ହେବ ବୋଲି ଆଶା କରାଯାଉଛି ।
Comments are closed.