Latest Odisha News

ଆଇପିଏଲ ନିଲାମ: ୧୩ ବର୍ଷରେ କୋଟିପତି ହେଲେ ବୈଭବ

ଜେଦାହ:ଆଇପିଏଲ ୨୦୨୫ ମେଗା ନିଲାମରେ ୧୩ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ କୋଟିପତି ହୋଇଛନ୍ତି । ତାଙ୍କୁ ରାଜସ୍ଥାନ ରୟାଲ୍ସ ୧ କୋଟି ୧୦ ଲକ୍ଷ ଟଙ୍କାରେ ଦଳରେ ନେଇଛି । ବିହାରର ବୈଭବ ବାମହାତୀ ବ୍ୟାଟ୍ସମ୍ୟାନ । ବୟସ କମ ହେଲେ ମଧ୍ୟ ତାଙ୍କ ନିକଟରେ କ୍ରିକେଟ ଦକ୍ଷତା ଭରି ରହିଛି । ସେ ପଡିଆରେ ଲମ୍ବା ଲମ୍ବା ଛକା ମାରିବାରେ ସିଦ୍ଧହସ୍ତ ।

ଚଳିତ ନିଲାମରେ ତାଙ୍କ ବେସ ପ୍ରାଇସ ୩୦ ଲକ୍ଷ ଥିଲା । ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ତାଙ୍କୁ ନେବା ପାଇଁ ପ୍ରତିଦ୍ୱନ୍ଦ୍ୱିତ ହୋଇଥିଲା । ରାଜସ୍ଥାନ ମୋଟା ଅଙ୍କର ଅର୍ଥ ଦେଇ ଦଳରେ ନେବାରେ ସଫଳ ହୋଇଥିଲା । ନିକଟରେ ସେ ଆନ୍ତର୍ଜାତୀୟସ୍ତରରେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ୧୯ ବର୍ଷରୁ କମ ଟେଷ୍ଟରେ ସେ ଏହି କୀର୍ତିମାନ ସ୍ଥାପନ କରିଥିଲେ । ମାତ୍ର ୬୨ ବଲରେ ସେ ୧୦୪ ରନ ସଂଗ୍ରହ କରି ନେଇଥିଲେ । ଭାରତୀୟଙ୍କ ମଧ୍ୟରେ ଏହା ଦ୍ରୁତତମ ଏବଂ ଓଭରାଲ ଦ୍ୱିତୀୟ ଶତକ ଥିଲା ।

ମାତ୍ର ୧୨ ବର୍ଷ ବୟସରେ ବୈଭବ ବିହାର ପକ୍ଷରୁ ସେ ରଣଜୀ ପଦାର୍ପଣ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ସର୍ବକନିଷ୍ଠ ଖେଳାଳି ଭାବେ ପଦାର୍ପଣ କରିଛନ୍ତି । ଆଇପିଏଲରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଖେଳାଳିମାନଙ୍କ ସହ ଏକତ୍ର ଖେଳିବା ଆଗାମୀ ଦିନରେ ତାଙ୍କୁ ଜଣେ ଭଲ ଖେଳାଳି ଭାବେ ଗଢ଼ିତୋଳିବ ବୋଲି ଆଶା କରାଯାଉଛି । ୨୦୨୫ ଆଇପିଲରେ ବୈଭବଙ୍କ ପ୍ରଦର୍ଶନ ଉପରେ ନଜର ରହିବ ।

Leave A Reply

Your email address will not be published.