Latest Odisha News

BREAKING NEWS

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ଗୁଇନ୍ଦାଗିରି ଅଭିଯୋଗରେ ୫ ଅଟକ

ବାଲେଶ୍ୱର: ଗୁଇନ୍ଦାଗିରି ଅଭିଯୋଗରେ ଧରାପଡିଲେ ୫ ଅଭିଯୁକ୍ତ । ଏପରି ଘଟଣା ଦେଶର କୌଣସି ଆନ୍ତର୍ଜାତୀକ ସୀମା ନୁହେଁ ବରଂ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ସାମ୍ନାକୁ ଆସିଛି । ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଚୋରି ଓ ପଡୋଶୀ ଦେଶକୁ ପଠାଇବା ସନ୍ଦେହରେ ଏକାଧିକ ଠିକା କର୍ମଚାରୀଙ୍କୁ ବାଲେଶ୍ୱର ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି ।

ଥାନାରେ ଅଟକ ଥିବା ଅଭିଯୁକ୍ତମାନେ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ଠିକା କର୍ମଚାରୀ ଭାବେ ନିଯୁକ୍ତ ଥିଲେ । ସୋମବାର ରାତିରେ ପୋଲିସ ସେମାନଙ୍କୁ ଘରୁ ଉଠାଇ ଆଣିଥିବା ଜଣାପଡିଛି । ସବିଶେଷ ରିପୋର୍ଟ ଅନୁଯାୟୀ ଥାନାରେ ଅଟକ ଅଭିଯୁକ୍ତଙ୍କ ମଧ୍ୟରେ ବସନ୍ତ ବେହେରା ଲଂଚ ପ୍ୟାଡ-୩ରେ ଏସି ଅପରେଟର୍ ଭାବେ କାମ କରୁଥିଲେ । ବସନ୍ତ ବାହାର ଦେଶକୁ କଲ୍ ଓ ରିସିଭ୍ କରୁଥିବା ଗୁଇନ୍ଦା ବିଭାଗ ଟ୍ରାକ୍ କରି ଜାଣିପାରିଥିଲା ।

ସବୁଠୁ ଚକିତକର ଘଟଣା ହେଉଛି ପାକିସ୍ତାନ-ରାଜସ୍ଥାନ ସୀମାନ୍ତରୁ ବସନ୍ତକୁ ଇଣ୍ଟରନ୍ୟାସନାଲ କଲ୍ ଆସୁଥିଲା । ଫୋନ୍ କଲ୍ ମାଧ୍ୟମରେ ହିଁ ବସନ୍ତ ପଡୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁଥିବା ଦୁଇନ୍ଦା ବିଭାଗ ସନ୍ଦେହ କରିଥିଲା । ଏ ସମ୍ପର୍କରେ ଗୁଇନ୍ଦା ବିଭାଗ ବାଲେଶ୍ୱର ପୋଲିସକୁ ଜଣାଇବା ପରେ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ରାତି ଅଧିଆ ଉଠାଇ ଆଣି ପଚରାଉଚରା ଜାରି ରହିଛି ।

ପ୍ରକାଶ ଥାଉକି ପୂର୍ବରୁ ପାକିସ୍ତାନର ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରି ଆଜୀବନ ଜେଲ ସଜା କାଟୁଛନ୍ତି ଇଶ୍ୱର ବେହେରା । ସେ ଚାନ୍ଦିପୁର ପ୍ରତିରକ୍ଷା ବିଭାଗରେ ଠିକା ଫଟୋଗ୍ରାଫର୍ ଭାବେ କାର୍ଯ୍ୟରତ ଥିଲେ । ପାକିସ୍ତାନକୁ ଭାରତର ତଥ୍ୟ ଯୋଗାଇବା ଓ ଦେଶଦ୍ରୋହ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.