Latest Odisha News

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ: ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତ କଏଦୀ ଜଣକ ହେଲେ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗାଁର ତୟାବ ଖାଁ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରି ୬୫ ନମ୍ବର ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ଆଠଗଡ଼ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ରାଣୀବଣିଆ ଆଦର୍ଶ କାରାଗାରରେ ଏହି ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତ ଡିସେମ୍ବର ମାସରୁ ଖୁଣ୍ଟୁଣୀ ମହାଲକ୍ଷ୍ମୀପୁର ଜେଲରେ ତୟାବ ଖାଁ ବିଚାରାଧୀନ କଏଦୀ ଭାବେ ଥିଲେ। ମଙ୍ଗଳବାର ଦିନ ସେ ଘର ଲୋକଙ୍କ ସହ କଥା ହୋଇଥିଲା। ଆଉ ଦୁଇ ଦିନ ପରେ ବେଲ୍‌ ପାଇବ ବୋଲି ମଧ୍ୟ କହିଥିଲା। ହେଲେ ବୁଧବାର ଦିନ ସକାଳୁ ପରିବାର ଲୋକଙ୍କୁ ଫୋନ୍‌ ଆସିଲା କି ତୟାବଙ୍କ ମୃତଦେହ ଆଠଗଡ଼ ମେଡିକାଲରେ ଅଛି, ଆପଣମାନେ ତୁରନ୍ତ ଆସନ୍ତୁ।

ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ପରିବାର ଏବଂ ଗାଁ ଲୋକଙ୍କ ପକ୍ଷରୁ ଖୁଣ୍ଟୁଣୀ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ରାସ୍ତା ରୋକ କରାଯାଇଛି । ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

 

Comments are closed.